ପର୍ବପର୍ବାଣୀ ସମାଜରେ ନୂଆ ସଂସ୍କାର ଶିଖାଏ – ଧର୍ମେନ୍ଦ୍ର ପ୍ରଧାନ
• ଶିଶୁ ପୋଷଣ, ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପାଇଁ ସାମାଜିକ ଦାୟିତ୍ୱ ନେବାକୁ ଆହ୍ୱାନ
• ମାହାଙ୍ଗା ସମାଜ ପରିବର୍ତ୍ତନ ଓ ଶିଶୁ ସୁରକ୍ଷାରେ ପଥପ୍ରଦର୍ଶକ ସାଜିବ ବୋଲି ଆଶାପ୍ରକଟ
କଟକ/ମାହାଙ୍ଗା : ଗଣେଶ ପୂଜା ଭଳି ଆମର ପର୍ବପର୍ବାଣୀଗୁଡ଼ିକ କେବଳ ଆଲୋକସଜ୍ଜା କିମ୍ବା ନାଚ-ଗୀତରେ ସୀମିତ ନ ରହି ସମାଜକୁ ନୂଆ ସଂସ୍କାର ଶିଖାଇବାର ଏକ ପ୍ରମୁଖ ମାଧ୍ୟମ ହେବା ଉଚିତ୍। ଶନିବାର କଟକ ଜିଲ୍ଲା ମାହାଙ୍ଗା ପୋଡ଼ାମରାଇ ଠାରେ ଆୟୋଜିତ ପବିତ୍ର ‘ଗଜାନନ ମହୋତ୍ସବ-୨୦୨୬’ରେ ଯୋଗଦେଇ କହିଛନ୍ତି ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ‘ପୋଷଣ ମାସ’ ଓ ‘ତିଥି ଭୋଜନ’ ଆହ୍ୱାନର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟର ଛୋଟ ପିଲାଙ୍କୁ ପୁଷ୍ଟିକର ଫଳ, ପରିବା ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା ପାଇଁ ସମାଜ ଦାୟିତ୍ୱ ନେବା ଆବଶ୍ୟକ। ପ୍ରସେସଡ୍ ଓ ପ୍ୟାକେଟ୍ ଫୁଡ୍ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବାରୁ, ଆମର ଶିଶୁମାନଙ୍କୁ ସବଳ, ସାହସୀ, ସ୍ୱାଭିମାନୀ, ନିର୍ଭୀକ ଓ ସଂସ୍କାରୀ କରି ଗଢ଼ିତୋଳିବା ପାଇଁ ଏହାକୁ ଏକ ଜନ-ଆନ୍ଦୋଳନରେ ପରିଣତ କରିବାକୁ ସେ ନିବେଦନ କରିଛନ୍ତି।
ଏହି ଅବସରରେ ପରିବେଶ ସୁରକ୍ଷା ସମ୍ପର୍କରେ ସେ କହିଛନ୍ତି ଯେ, ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ର ବ୍ୟବହାର କମାଇବା ଏବଂ ସ୍ୱଚ୍ଛତାକୁ ଏକ ସାମାଜିକ ସଂସ୍କାରରେ ପରିଣତ କରିବା ଅତ୍ୟନ୍ତ ଜରୁରୀ। ସବୁ କିଛି କେବଳ ଆଇନ କିମ୍ବା କଟକଣା ଦ୍ୱାରା ନୁହେଁ, ବରଂ ଲୋକଙ୍କ ଆଚରଣ ଓ ଚରିତ୍ରଗତ ପରିବର୍ତ୍ତନ ଦ୍ୱାରା ହିଁ ସମାଜ ପରିବର୍ତ୍ତନ ସମ୍ଭବ। ମାହାଙ୍ଗାକୁ ଏକ ସମୃଦ୍ଧ, ସଂସ୍କୃତିସମ୍ପନ୍ନ ଓ ନେତୃତ୍ୱ ନେଉଥିବା ଅଞ୍ଚଳ ଭାବେ ବର୍ଣ୍ଣନା କରି ଶ୍ରୀ ପ୍ରଧାନ ବିଶ୍ୱାସ ପ୍ରକଟ କରିଛନ୍ତି ଯେ, ସମାଜ ପରିବର୍ତ୍ତନ ଏବଂ ଶିଶୁ ସୁରକ୍ଷାର ଏହି ମହତ୍ ପ୍ରୟାସରେ ମାହାଙ୍ଗା ସମଗ୍ର ରାଜ୍ୟ ପାଇଁ ପଥପ୍ରଦର୍ଶକ ସାଜିବ।