କଟକ ମାହାଙ୍ଗା ପୋଡ଼ାମରାଇ ‘ଗଜାନନ ମହୋତ୍ସବ-୨୦୨୬’ରେ ସାଂସଦ

13

ପର୍ବପର୍ବାଣୀ ସମାଜରେ ନୂଆ ସଂସ୍କାର ଶିଖାଏ – ଧର୍ମେନ୍ଦ୍ର ପ୍ରଧାନ

ଶିଶୁ ପୋଷଣ, ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପାଇଁ ସାମାଜିକ ଦାୟିତ୍ୱ ନେବାକୁ ଆହ୍ୱାନ
• ମାହାଙ୍ଗା ସମାଜ ପରିବର୍ତ୍ତନ ଓ ଶିଶୁ ସୁରକ୍ଷାରେ ପଥପ୍ରଦର୍ଶକ ସାଜିବ ବୋଲି ଆଶାପ୍ରକଟ

କଟକ/ମାହାଙ୍ଗା : ଗଣେଶ ପୂଜା ଭଳି ଆମର ପର୍ବପର୍ବାଣୀଗୁଡ଼ିକ କେବଳ ଆଲୋକସଜ୍ଜା କିମ୍ବା ନାଚ-ଗୀତରେ ସୀମିତ ନ ରହି ସମାଜକୁ ନୂଆ ସଂସ୍କାର ଶିଖାଇବାର ଏକ ପ୍ରମୁଖ ମାଧ୍ୟମ ହେବା ଉଚିତ୍। ଶନିବାର  କଟକ ଜିଲ୍ଲା ମାହାଙ୍ଗା ପୋଡ଼ାମରାଇ ଠାରେ ଆୟୋଜିତ ପବିତ୍ର ‘ଗଜାନନ ମହୋତ୍ସବ-୨୦୨୬’ରେ ଯୋଗଦେଇ କହିଛନ୍ତି ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ‘ପୋଷଣ ମାସ’ ଓ ‘ତିଥି ଭୋଜନ’ ଆହ୍ୱାନର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅଙ୍ଗନବାଡ଼ି ଓ ପ୍ରାଥମିକ ବିଦ୍ୟାଳୟର ଛୋଟ ପିଲାଙ୍କୁ ପୁଷ୍ଟିକର ଫଳ, ପରିବା ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେବା ପାଇଁ ସମାଜ ଦାୟିତ୍ୱ ନେବା ଆବଶ୍ୟକ। ପ୍ରସେସଡ୍ ଓ ପ୍ୟାକେଟ୍ ଫୁଡ୍ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବାରୁ, ଆମର ଶିଶୁମାନଙ୍କୁ ସବଳ, ସାହସୀ, ସ୍ୱାଭିମାନୀ, ନିର୍ଭୀକ ଓ ସଂସ୍କାରୀ କରି ଗଢ଼ିତୋଳିବା ପାଇଁ ଏହାକୁ ଏକ ଜନ-ଆନ୍ଦୋଳନରେ ପରିଣତ କରିବାକୁ ସେ ନିବେଦନ କରିଛନ୍ତି।

ଏହି ଅବସରରେ ପରିବେଶ ସୁରକ୍ଷା ସମ୍ପର୍କରେ ସେ କହିଛନ୍ତି ଯେ, ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍‌ର ବ୍ୟବହାର କମାଇବା ଏବଂ ସ୍ୱଚ୍ଛତାକୁ ଏକ ସାମାଜିକ ସଂସ୍କାରରେ ପରିଣତ କରିବା ଅତ୍ୟନ୍ତ ଜରୁରୀ। ସବୁ କିଛି କେବଳ ଆଇନ କିମ୍ବା କଟକଣା ଦ୍ୱାରା ନୁହେଁ, ବରଂ ଲୋକଙ୍କ ଆଚରଣ ଓ ଚରିତ୍ରଗତ ପରିବର୍ତ୍ତନ ଦ୍ୱାରା ହିଁ ସମାଜ ପରିବର୍ତ୍ତନ ସମ୍ଭବ। ମାହାଙ୍ଗାକୁ ଏକ ସମୃଦ୍ଧ, ସଂସ୍କୃତିସମ୍ପନ୍ନ ଓ ନେତୃତ୍ୱ ନେଉଥିବା ଅଞ୍ଚଳ ଭାବେ ବର୍ଣ୍ଣନା କରି ଶ୍ରୀ ପ୍ରଧାନ ବିଶ୍ୱାସ ପ୍ରକଟ କରିଛନ୍ତି ଯେ, ସମାଜ ପରିବର୍ତ୍ତନ ଏବଂ ଶିଶୁ ସୁରକ୍ଷାର ଏହି ମହତ୍ ପ୍ରୟାସରେ ମାହାଙ୍ଗା ସମଗ୍ର ରାଜ୍ୟ ପାଇଁ ପଥପ୍ରଦର୍ଶକ ସାଜିବ।

Comments are closed, but trackbacks and pingbacks are open.