ଭୁବନେଶ୍ୱର/ଖୋର୍ଦ୍ଧା, ମଇ ୧୮,୨୦୨୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ‘ପାଇକ ବିଦ୍ରୋହ ସ୍ମାରକୀ’ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ବିରୁଦ୍ଧରେ ହୋଇଥିବା ଏହି ସଶସ୍ତ୍ର ଗଣବିଦ୍ରୋହ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏହା ଓଡ଼ିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ଗୌରବର ଏକ ଅନନ୍ୟ ପ୍ରତୀକ । ଏହି ମାଟିର ବୀରମାନଙ୍କ ବଳିଦାନ ସମଗ୍ର ଦେଶକୁ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରିତ କରିଥିଲା । ବରୁଣେଇ ପାହାଡ଼ ପାଦଦେଶରେ ନିର୍ମାଣ ହେଉଥିବା ଏହି ଭବ୍ୟ ସ୍ମାରକୀ ସ୍ଥଳ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଜାତିର ବୀରତ୍ୱ ଓ ବିଜୟଗାଥାକୁ ସାରା ବିଶ୍ୱରେ ପ୍ରତିପାଦିତ କରିବ । ଓଡ଼ିଶାର ଅଦମ୍ୟ ସାହସର ମୂକସାକ୍ଷୀ ହୋଇ ରହିବାକୁ ଥିବା ଏହି ପ୍ରକଳ୍ପ ଆଗାମୀ ଦିନରେ ଆମ ଯୁବପିଢ଼ିଙ୍କୁ ନିଜ ସଂସ୍କୃତି ଓ ଦେଶପ୍ରେମରେ ସର୍ବଦା ଅନୁପ୍ରାଣିତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଗୌରବମୟ ଇତିହାସକୁ ବିଶ୍ୱ ଦରବାରରେ ସଠିକ୍ ପରିଚୟ ଦେବା ପାଇଁ ସଦାସର୍ବଦା ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।