ଭୁବନେଶ୍ୱର: ଋଷ-ୟୁକ୍ରେନ୍ ଯୁଦ୍ଧରେ ଜଣେ ଓଡ଼ିଆ ଯୁବକଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଧବବନ୍ଧ ଗ୍ରାମର ଯୁବକ ଏ. ରାମାୟାଙ୍କ ରୁଷର ରାଜଧାନୀ ମସ୍କୋରେ ଡ୍ରୋନ ଆକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ରାମାୟା ପ୍ରାୟ ମାସେ ପୂର୍ବରୁ କାମ କରିବା ପାଇଁ ରୁଷ ଯାଇଥିଲେ। ସେଠାରେ ଏକ କମ୍ପାନୀରେ କାମ କରୁଥିବା ବେଳେ ଶନିବାର ଡ୍ରୋନ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ବେଳେ ରାମାୟା ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ରାମାୟାଙ୍କ ଜଣେ ସାଙ୍ଗ ପରିବାରକୁ ଫୋନ୍ କରି ଏହି ଦୁଃଖଦ ଖବର ଜଣାଇଥିଲେ। ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ରାମାୟାଙ୍କ ମୃତଦେହକୁ ଭାରତକୁ ଆଣିବା ପାଇଁ ଦିଲ୍ଲୀ ସହ ଯୋଗାଯୋଗ ଚାଲିଛି। ଏହା ସହିତ ଭାରତୀୟ ଦୂତାବାସ ସହ ମଧ୍ୟ ଆଲୋଚନା ଜାରି ରହିଛି।