ଭୁବନେଶ୍ବର: ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏବଂ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ନ୍ୟାୟାଳୟର କାର୍ଯ୍ୟପ୍ରଣାଳୀ ଓ କର୍ମଚାରୀଙ୍କ ରୋଷ୍ଟର ବ୍ୟବସ୍ଥା ସମ୍ବନ୍ଧରେ ନୂତନ ବ୍ୟବସ୍ଥା ଜାରି କରାଯାଇଛି। ଉଚ୍ଚ ନ୍ୟାୟାଳୟର ନୋଟିସ ଅନୁଯାୟୀ, ଆସନ୍ତା ୧୯ ଓ ୨୧ ମଇ୨୦୨୬ ତାରିଖରେ ସମସ୍ତ ବେଞ୍ଚ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ । ଏଥିସହ ଗ୍ରୀଷ୍ମ ଅବକାଶ ସମୟରେ କାର୍ଯ୍ୟରତ ସମସ୍ତ ଛୁଟିକାଳୀନ ବେଞ୍ଚ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ । ନ୍ୟାୟାଳୟ ଓ ରେଜିଷ୍ଟ୍ରି ର କାର୍ଯ୍ୟ ନିରବଛିନ୍ନ ଭାବେ ଚାଲୁ ରଖିବା ପାଇଁ ସମସ୍ତ ସୁପରିଣ୍ଟେଣ୍ଡେଣ୍ଟ ମାନଙ୍କୁ ତାଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ରୋଷ୍ଟର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହି ବ୍ୟବସ୍ଥାରେ ସର୍ବନିମ୍ନ ୫୦ ପ୍ରତିଶତ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ନ୍ୟାୟାଳୟରେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।