ଏସିଆନ ପାରା ଗେମ୍ସର ସ୍ୱର୍ଣ୍ଣ ବିଜେତା ନୀରଜ ଯାଦବଙ୍କ ନିଧନ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏସିଆନ ପାରା ଗେମ୍ସରେ ଦେଶ ପାଇଁ ୩ଥର ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଯାଦବ ଆଉ ନାହାନ୍ତି। ଆଜି ତାଙ୍କ ମୃତଦେହକୁ ଦିଲ୍ଲୀ ସ୍ଥିତ ଘର ଭିତରୁ ଉଦ୍ଧାର କରାଯାଇଛି। ସେ ବିଷ ପିଇ ଜୀବନ ହାରିଥିବା କୁହାଯାଉଛି। ଦିଲ୍ଲୀର ଏକ ସରକାରୀ ଡାକ୍ତରଖାନାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି । ଭାରତୀୟ ପାରା ଆଥଲେଟିକ୍ସ ଟିମର ମୁଖ୍ୟ କୋଚ୍‌ ଏସ୍‌ ସତ୍ୟନାରାୟଣ ଘଟଣାକୁ ନିଶ୍ଚିତ କରିଛନ୍ତି। ସେ ନୀରଜଙ୍କ ମୃତ୍ୟୁ ଖବର ପାଇ ପୂରା ସ୍ତବ୍ଧ ହୋଇ ଯାଇଥିବା କହିଛନ୍ତି। ତାଙ୍କ କହିବା କଥା ଯେ ନୀରଜ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଭଳି ଜଣେ ଆଥଲେଟ୍‌ ଏପରି ଚରମ ପଦକ୍ଷେପ ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ୪୨ ବର୍ଷୀୟ ନୀରଜ ଯାଦବ ଏଫ୫୫ ବର୍ଗରେ ୩ଥର ସଫଳତା ହାସଲ କରିଥିଲେ । ଚଳିତ ବର୍ଷ ଜାପାନରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସରେ ସେ ଭାଗ ନେବାରୁ ବଞ୍ଚିତ ହେବାରୁ ମାନସିକ ଚାପରେ ରହିଥିଲେ। ଏସିଆନ ଗେମ୍ସ ପୂର୍ବରୁ ହୋଇଥିବା ଡୋପିଂ ଟେଷ୍ଟରେ ନୀରଜ ବିଫଳ ହେବାରୁ ଜାପାନ ଯାଇ ପାରି ନଥିଲେ। ସମ୍ଭବତଃ ଏହି ମାନସିକ ଚାପ ଯୋଗୁ ସେ ବିଷ ପିଇ ଦେଇଥିବା କୁହାଯାଉଛି। ଉତ୍ତର ପ୍ରଦେଶର ଗାଜିଆବାଦର ନୀରଜ ମାତ୍ର ୭ ବର୍ଷ ବୟସରୁ ପୋଲିଓ ଜନିତ ସମସ୍ୟାରେ ପଡ଼ି ମଧ୍ୟ ପ୍ରଥମେ ହ୍ୱିଲଚେୟାର ଟେନିସ ପ୍ରତି ମନ ବଳାଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ପାରା ଆଥଲେଟିକ୍ସ ଆଡ଼କୁ ଯାଇଥିଲେ। ୨୦୧୮ ଏସିଆନ ପାରା ଗେମ୍ସର ଜାଭେଲିନରେ ନୀରଜ ସ୍ୱର୍ଣ୍ଣ ଜିତିଥିଲେ। ଏହାପରେ ୨୦୨୩ରେ ଜାଭେଲିନ ଓ ଡିସକସ୍‌ ଥ୍ରୋରେ ମଧ୍ୟ ତାଙ୍କୁ ସ୍ୱର୍ଣ୍ଣିମ ସଫଳତା ମିଳିଥିଲା।