ବେଙ୍ଗୁଲୁରୁ: କର୍ଣ୍ଣାଟକ ବିଧାନ ପରିଷଦର ଚାରିଟି ସ୍ନାତକ ଓ ଶିକ୍ଷକ ନିର୍ବାଚନ କ୍ଷେତ୍ର ପାଇଁ ହୋଇଥିବା ମତଦାନରେ ଶାସକ କଂଗ୍ରେସ ଦଳକୁ ଏକ ବଡ଼ ଧରଣର ଝଟକା ଲାଗିଛି। ବିରୋଧୀ ବିଜେପି ଏବଂ ଜନତା ଦଳ (ସେକ୍ୟୁଲାର) ବା ଜେଡି(ଏସ) ମେଣ୍ଟ ସମସ୍ତ ଚାରିସାଫ୍ କରି ବିଜୟ ହାସଲ କରିଛନ୍ତି। ଏହି ନିର୍ବାଚନରେ ବିଜେପି ତିନୋଟି ଆସନରେ ନିଜର ଦଖଲ ବଜାୟ ରଖିଥିବାବେଳେ, ଜେଡି(ଏସ) ବେଙ୍ଗାଲୁରୁ ଶିକ୍ଷକ ନିର୍ବାଚନ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତ କରି ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ବିଶେଷ କରି ବେଙ୍ଗାଲୁରୁ ଶିକ୍ଷକ ନିର୍ବାଚନ କ୍ଷେତ୍ରରେ ବିଜେପି ସମର୍ଥିତ ଜେଡି(ଏସ) ପ୍ରାର୍ଥୀ ଏ.ପି. ରଙ୍ଗନାଥ, କଂଗ୍ରେସର ବର୍ତ୍ତମାନର ବିଧାନ ପରିଷଦ ସଦସ୍ୟ ପୁଟ୍ଟନ୍ନାଙ୍କୁ ୯୦୮ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଥିରେ ରଙ୍ଗନାଥ ୧୦,୮୧୦ ଭୋଟ୍ ପାଇଥିବା ବେଳେ ପୁଟ୍ଟନ୍ନାଙ୍କୁ ୯,୯୦୨ ଭୋଟ୍ ମିଳିଛି। ସେହିପରି ଉତ୍ତର-ପୂର୍ବ ଶିକ୍ଷକ ନିର୍ବାଚନ କ୍ଷେତ୍ରରେ ବିଜେପିର ବର୍ତ୍ତମାନର ସଦସ୍ୟ ଶଶିଲ ଜି. ନାମୋଶୀ, କଂଗ୍ରେସର ଶରଣପ୍ପା ମତ୍ତୁରଙ୍କୁ ୩,୨୯୭ ଭୋଟ୍ରେ ହରାଇଛନ୍ତି। ନାମୋଶୀ ୧୫,୫୯୬ ଭୋଟ୍ ପାଇଥିବା ବେଳେ ମତ୍ତୁରଙ୍କୁ ୧୨,୨୯୯ ଭୋଟ୍ ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଆସନରେ ନାମୋଶୀଙ୍କର ଏହା କ୍ରମାଗତ ପଞ୍ଚମ ବିଜୟ ଅଟେ।