ମାଦ୍ରିଦ୍: ସ୍ପେନର ଟୋଲେଡୋ ପ୍ରଦେଶରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪୫ରୁ ଅଧିକ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ଓ ଜରୁରୀକାଳୀନ ସେବା ସୂତ୍ରରୁ ପ୍ରକାଶ ପାଇଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି, ଯାହାଫଳରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ମିଳିଥିବା ସ୍ଥାନୀୟ ପ୍ରଶାସନ ତଥ୍ୟରୁ ଆଜି ସକାଳେ ଟୋଲେଡୋର ଉର୍ଡା ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ‘ରେନଫେ ଏଭି’ ଏବଂ ବେସରକାରୀ ‘ଇରିଓ’ କମ୍ପାନୀର ଦୁଇଟି ହାଇ-ସ୍ପିଡ୍ ଟ୍ରେନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ପ୍ରଚଣ୍ଡ ଥିଲା ଯେ ଟ୍ରେନର କିଛି ବଗି ଲାଇନ୍ ଚ୍ୟୁତ ହୋଇ ଗଡ଼ାଣିଆ ସ୍ଥାନକୁ ଖସିପଡ଼ିଥିଲା । ଏରିଓ ଟ୍ରେନରେ ୧୪୭ ଜଣ ଏବଂ ରେନ୍ଫେ ଇନଭି ଟ୍ରେନରେ ୩୯୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣା ପରେ ମାଦ୍ରିଦ୍ ଓ ଆଣ୍ଡାଲୁସିଆ ମଧ୍ୟରେ ଚାଲୁଥିବା ସମସ୍ତ ହାଇ-ସ୍ପିଡ୍ ରେଳ ସେବା ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି। ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାରକାରୀ ଦଳ, ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ହେଲିକପ୍ଟର ଏବଂ ସେନାବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଆଇସିୟୁ ଓ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ସିଗ୍ନାଲିଂ ବ୍ୟବସ୍ଥାରେ ଯାନ୍ତ୍ରିକ ତ୍ରୁଟି କିମ୍ବା ମାନବୀୟ ଭୁଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି |