ଭୁବନେଶ୍ୱର:ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ସ୍ପର୍ଶ କରିଥିବାବେଳେ ଆଗାମୀ କିଛି ଦିନ ମଧ୍ୟରେ ଏହା ସମଗ୍ର ରାଜ୍ୟକୁ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହା ସହିତ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଦେଖାଦେଇଛି।ଏଥର ଅନୁକୂଳ ପାଗ ପରିସ୍ଥିତି ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡ଼ିଶାରେ ପହଞ୍ଚିଛି। ଜୁନ୍ ୪ରେ କେରଳ ଛୁଇଁଥିବା ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗେଇ ଆସି ଆଜି ଓଡ଼ିଶାରେ ପ୍ରବେଶ କରିଛି। ତେବେ ଗତବର୍ଷ ମେ ୨୮ରେ ମୌସୁମୀ ଓଡ଼ିଶାକୁ ଛୁଇଁଥିବାରୁ ଏଥର କିଛିଟା ବିଳମ୍ବ ହୋଇଛି।ମୌସୁମୀର ଆଗମନ ସହ ରାଜ୍ୟବାସୀଙ୍କ ପାଇଁ ଆସିଛି ବର୍ଷାର ଖବର। ପାଣିପାଗ ବିଜ୍ଞାନ କେନ୍ଦ୍ର ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ସତର୍କତା ଜାରି କରିଛି। ବିଶେଷକରି ଶୁକ୍ରବାରଠାରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ବିସ୍ତୃତି ବଢ଼ିବ। ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।ଏହାସହ ୧୭ ଜୁନ୍ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।