ପୁରୀରେ ଅସ୍ୱାସ୍ଥ୍ୟକର ଖଜା ଦୋକାନ ଉପରେ ପ୍ରଶାସନର ଚଢ଼ାଉ: ୫ ଭାଟି ସିଲ୍

25

ପୁରୀ: ଶ୍ରୀମନ୍ଦିରକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଶେଷରେ କଡ଼ା ପଦକ୍ଷେପ ଗ୍ରହଣ କରିଛି ପୁରୀ ଜିଲ୍ଲା ପ୍ରଶାସନ। ଅସ୍ୱାସ୍ଥ୍ୟକର ଓ ଅପରିଷ୍କାର ପରିବେଶରେ ନିମ୍ନମାନର ଖଜା-ଗଜା ତିଆରି ହେଉଥିବା ଅଭିଯୋଗକୁ ଆଧାର କରି ମଙ୍ଗଳବାର ସକାଳେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ, ପୁରୀ ପୌରପାଳିକା ଏବଂ ପୋଲିସର ଏକ ଯୁଗ୍ମ ଟିମ୍ ବ୍ୟାପକ ଚଢ଼ାଉ ଅଭିଯାନ୍ ଚଲାଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ନିୟମ ଉଲ୍ଲଂଘନ କରୁଥିବା ୫ଟି ଅସ୍ୱାସ୍ଥ୍ୟକର ଖଜା ଭାଟିକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି। ଶ୍ରୀମନ୍ଦିର ଆଖପାଖ ଓ ବଡ଼ଦାଣ୍ଡ ସଂଲଗ୍ନ ଗଳିଗୁଡ଼ିକରେ ଚାଲିଥିବା ଏହି ଯାଞ୍ଚ ସମୟରେ ଅନେକ ବ୍ୟବସାୟୀ ବାଣିଜ୍ୟିକ ସିଲିଣ୍ଡର ବଦଳରେ ବେଆଇନ୍ ଭାବେ ଘରୋଇ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଥିବା ନଜରକୁ ଆସିଥିଲା। ପୋଲିସ ଓ ଖାଦ୍ୟ ସୁରକ୍ଷା ଟିମ୍ ବିପୁଳ ପରିମାଣର ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରିବା ସହ ଅମାନିଆ ବ୍ୟବସାୟୀଙ୍କଠାରୁ ମୋଟା ଅଙ୍କର ଜରିମାନା ଗଣାଇଛନ୍ତି। ଚଢ଼ାଉ ବେଳେ ପ୍ରସ୍ତୁତ ହୋଇ ରହିଥିବା ଅସୁରକ୍ଷିତ, ନିମ୍ନମାନର ଓ ଦୁର୍ଗନ୍ଧଯୁକ୍ତ ଖଜାଗୁଡ଼ିକୁ ପ୍ରଶାସନ ପକ୍ଷରୁ ତୁରନ୍ତ ନଷ୍ଟ କରାଯାଇଛି। ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ ଆଶାରେ ଭକ୍ତଙ୍କ ସ୍ୱାସ୍ଥ୍ୟକୁ ବାଜି ଲଗାଉଥିବା ନେଇ ଦୀର୍ଘଦିନରୁ ଅଭିଯୋଗ ହୋଇଆସୁଥିଲା।

Comments are closed, but trackbacks and pingbacks are open.