୨୫ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ

16

ଭୁବନେଶ୍ୱର: ରାଜ୍ୟରେ ପୁଣି ବଦଳିବ ପାଣିପାଗ। ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ ତାମିଲନାଡ଼ୁ ଉପକୂଳ ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟରୁ ଏକ ଟ୍ରଫ୍-ଲାଇନ୍ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଏହି ସାମୁଦ୍ରିକ ନିୟାମକ ପ୍ରଭାବରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି ଅକ୍ଟୋବର ୨୨ରୁ ୨୮ ତାରିଖ ମଧ୍ୟରେ ଦେଶର ପୂର୍ବ ଉପକୂଳର ବିସ୍ତୃତ ଅଞ୍ଚଳରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୧୫ରୁ ୨୧ ତାରିଖ ମଧ୍ୟରେ ଓଡ଼ିଶାରେ କୌଣସି ବଡ଼ ଧରଣର ବର୍ଷା ସମ୍ଭାବନା ନଥିଲେ ସୁଦ୍ଧା, ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ସାମାନ୍ୟରୁ ମଧ୍ୟମ ଧରଣର ଝଡ଼ବର୍ଷା ହୋଇପାରେ। ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

Comments are closed, but trackbacks and pingbacks are open.