ଲୋକସଭାରେ ସୂଚୀବଦ୍ଧ ହେଲା ‘କୃଷି ଆଇନ ନିସ୍ତାରଣ ବିଧେୟକ-୨୦୨୧’, ସଂସଦ ରେ ହେବ ଉପସ୍ଥାପନ

20

କୃଷି ଆଇନ ସମ୍ପର୍କିତ ବିଧେୟକ ‘କୃଷି ଆଇନ ନିସ୍ତାରଣ ବିଧେୟକ-୨୦୨୧’କୁ ଶନିବାର ସରକାର ଲୋକ ସଭାରେ ସୂଚୀବଦ୍ଧ କରିଛନ୍ତି। ସଂସଦର ଶୀତ ଅଧିବେଶନ ପ୍ରଥମ ଦିବସ ଅର୍ଥାତ ନଭେମ୍ବର ୨୯ ତାରିଖରେ ୩ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ଲୋକସଭାରେ ଉପସ୍ଥାପନ କରାଯିବା ନିଶ୍ଚିତ ହୋଇଯାଇଛି। ଲୋକସଭାର ଲିଷ୍ଟ ଅଫ ବିଜନେସ୍ ମୁତାବକ ସୋମବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ‘କୃଷି ଆଇନ ନିସ୍ତାରଣ ବିଧେୟକ ୨୦୨୧’କୁ ଗୃହରେ ଉପସ୍ଥାପିତ କରିବେ ବୋଲି ଜଣାପଡିଛି।ଏହି ବିଧେୟକ ଉପରେ ସୋମବାର ଆଲୋଚନା କରି ଏହାକୁ ଗୃହୀତ କରାଇନେବା ସରକାରଙ୍କ ଆନ୍ତରିକ ଇଛା। ଲୋକସଭାରେ ଗୃହୀତ ହେଲେ ବିଧେୟକ ରାଜ୍ୟସଭା ମଞ୍ଜୁରୀ ଲାଗି ଯିବ। ରାଜ୍ୟସଭାରେ ଗୃହୀତ ହେଲେ ଆଇନ ପ୍ରତ୍ୟାହାର ଲାଗି ବିଧେୟକକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ ଅକାମୀ ହେବାର ମାର୍ଗ ପ୍ରଶସ୍ତ ହୋଇଯିବ। ଆଇନକୁ ବିରୋଧ କରି ଦିଲ୍ଲୀରେ ଜାରି କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ନଭେମ୍ବର ୧୯ ତାରିଖ ଦିନ ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ।ଏହି ଘୋଷଣା ସହ ପ୍ରଧାନମନ୍ତ୍ରୀ ସଂସଦର ଆଗାମୀ ଶୀତ ଅଧିବେଶରେ ଏ ଥିଲାଗି ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆଇନକୁ ନିରସ୍ତ କରିବାକୁ ପଦକ୍ଷେପ ନେବେ ବୋଲି ମଧ୍ୟ ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ। ସେହି ଅନୁସାରେ ଗତ କ୍ୟାବିନେଟ୍ ବୈଠକରେ ଆଇନ ନିସ୍ତାରଣ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରାଯାଇଥିବା ବେଳେ ସଂସଦରେ ଉପସ୍ଥାପନ ଲାଗି ଶନିବାର ସୂଚୀବଦ୍ଧ ମଧ୍ୟ କରାଯାଇଛି। ଏଥିରୁ ୩ ବିବାଦୀୟ କୃଷି ଆଇନକୁ ସରକାର ପ୍ରତ୍ୟାହାର କରିନେଉଥିବା ସ୍ପଷ୍ଟ ହୋଇଯାଇଛି।

Leave A Reply

Your email address will not be published.