ବେଙ୍ଗାଲୁରୁର ୫ ଷ୍ଟାର ହୋଟେଲରେ ଅଘଟଣ, ସୁଇମିଂ ପୁଲ୍‌ରେ ବିଦ୍ୟୁତ ଝଟକାରେ ୨ ବିଦେଶୀ ମୃତ

26

ବେଙ୍ଗାଲୁର: ବେଙ୍ଗାଲୁରୁରେ ଥିବା କୋନରାଡ ହୋଟେଲରେ ଶୁକ୍ରବାର ଏକ ବଡ ଅଘଟଣ ଘଟିଯାଇଛି | ମିଳିଥିବା ଖବର ଅନୁଯାୟୀ, ଏହି ପଞ୍ଚତାରକା ହୋଟେଲରେ ସାଧାରଣତଃ ବଡ଼ ବଡ଼ ଲୋକ ରୁହନ୍ତି। ହୋଟେଲଟି ୫ଷ୍ଟାର ମାନ୍ୟତା ପାଇବା ସତ୍ତ୍ୱେ ଏଠାରେ ଗ୍ରାହକଙ୍କ ସୁରକ୍ଷା ପ୍ରତି ଯେମିତି କାହାର ନିଘା ନାହିଁ। ହୋଟେଲର ସୁଇମିଂ ପୁଲ୍‌ରେ ଗାଧୋଇବା ବେଳେ ହଠାତ୍‌ ଲାଗିଛି ବିଦ୍ୟୁତ ଝଟକା। ଏଥିଯୋଗୁ ଦୁଇ ବିଦେଶୀ ନାଗରିକ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ ଜର୍ମାନୀ ଓ ଆଉ ଜଣେ ସ୍ଲୋଭାକିଆର ନାଗରିକ। ସେମାନେ ହୋଟେଲରେ ରହୁଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ସୁଇମିଂ ପୁଲ୍‌ର ମଜା ଉଠାଉଥିଲେ। ଏତିକି ବେଳେ କରେଣ୍ଟ ଆଘାତ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ବ୍ୟତୀତ ଜଣେ ଆମେରିକୀୟ ନାଗରିକ ଓ ଭାରତୀୟ ପୁଲ୍‌ ଆଟେଡାଣ୍ଟ ମଧ୍ୟ କରେଣ୍ଟ ଝଟକାରେ ଆହତ ହୋଇଛନ୍ତି। ସେମାନଙ୍କୁ ମନିପାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ଓ ଉଭୟ ବିପଦ ମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଜର୍ମାନ ନାଗରିକ ଜଣଙ୍କ ହେଉଛନ୍ତି ୫୭ ବର୍ଷୀୟ ଆଲେକଜାଣ୍ଡାର ମ୍ୟାକ୍ସିମିଲିଆନ ଥିସ୍‌। ସ୍ଲୋଭାକିଆ ନାଗରିକଙ୍କ ବୟସ ୪୫ ଓ ତାଙ୍କ ନାଁ ଜୁରାଜ ହୋର୍ଭଟ। ଆମେରିକୀୟ ନାଗରିକ ଓ ହୋଟେଲ କର୍ମଚାରୀ ଜଣଙ୍କ ୨ ମୃତକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ବିଦ୍ୟୁତ ଝଟକାର ସାମ୍ନା କରିଥିଲେ। ଘଟଣାରେ କୋନରାଡ ହୋଟେଲ ପୋଲିସକୁ ସବୁ ପ୍ରକାରର ସହାୟତା କରାଯାଉଥିବା ସୂଚନା ଦେଇଛି। ଏହି ଘଟଣାରେ ପୋଲିସ ଗୋଟିଏ ମାମଲା ରୁଜୁ କରିଛି।

Comments are closed, but trackbacks and pingbacks are open.