ଡିଜେ ଗାଡ଼ି ଓଲଟି ଜଣେ ମୃତ, ୧୦ ଗୁରୁତର

62

ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଅଁଳାଯୋଡ଼ି ନିକଟରେ ଦୁର୍ଗାପୂଜା ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଧର୍ମଗଡ଼ରୁ ମାଲକାନଗିରି ଆଡ଼କୁ ଯାଉଥିବା ଏକ ଡିଜେ ବୋଝେଇ ଗାଡ଼ିର ଆଗ ଚକା ହଠାତ୍ ଫାଟିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ, ଅଗ୍ନିଶମ ବାହିନୀ ଓ ମାଥିଲି ପୋଲିସ ମିଳିତ ଭାବେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଚଳାଇ ଆହତମାନଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଦୁର୍ଗାପୂଜା ବିସର୍ଜନ ଉତ୍ସବ ଚାଲିଥିବା ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବାରୁ ସମଗ୍ର ଅଞ୍ଚଳରେ ଏବେ ଶୋକର ଛାୟା ଖେଳି ଯାଇଛି ଏବଂ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Comments are closed, but trackbacks and pingbacks are open.