ଗ୍ରାମାଂଚଳରେ ଦୁର୍ଘଟଣାପ୍ରବଣ ବ୍ଲାକସ୍ପଟ୍ ଚିହ୍ନଟ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

17

ଭୁବନେଶ୍ୱର:ସଡ଼କ ଦୁର୍ଘଟଣା ଓ ପଦଚାରୀଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଏବେ ସମସ୍ତ ପ୍ରକାରର ଗ୍ରାମୀଣ ରାସ୍ତାରେ ଦୁର୍ଘଟଣାପ୍ରବଣ ବ୍ଲାକସ୍ପଷ୍ଟ ଚିହ୍ନଟ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଫିଲ୍ଡସ୍ତରୀୟ ଯାଂଚ ଓ ଓ ବ୍ଲାକସ୍ପଟ୍ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିବା ଓ ଦୁର୍ଘଟଣା ଏଡ଼ାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଜର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ପକ୍ଷରୁ ସମ୍ବିଧାନର ଧାରା ୧୯ ଓ ୨୧ ଅଧୀନରେ ଫୁଟପାଥ୍ ଓ ସୁରକ୍ଷିତ ରାସ୍ତାରେ ଚାଲିବାର ଅଧିକାରକୁ ଏକ ମୌଳିକ ଅଧିକାର ଭାବେ ଅଭିହିତ କରାଯିବା ସହ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ) ରାସ୍ତା ଓ ଅନ୍ୟାନ୍ୟ ଗ୍ରାମୀଣ ରାସ୍ତାରେ ଥିବା ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ତୁରନ୍ତ ଠିକ୍ କରିବାକୁ କୁହାଯାଇଛି।କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଦିତି ସିଂହ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ତୁରନ୍ତ ପରିବହନ କମିଶନର ଓ ସମ୍ପୃକ୍ତ ବିଭାଗ ସହିତ ବୈଠକ କରି ଜିଲ୍ଲାସ୍ତରୀୟ ତଥ୍ୟ ଆଧାରରେ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ଓ ଅକ୍ଟୋବର ୩୦ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ତାଗିଦ୍ ଓ କେନ୍ଦ୍ର ସରକାରଙ୍କ ଚିଠି ପରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ସବୁ ଜିଲ୍ଲା ଅଫିସକୁ ଚିଠି ଲେଖି ଆକ୍ସନଟେକେନ ରିପୋର୍ଟ ମାଗିଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.