ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼ ଘଟଣା: ଗିରଫ ସଂଖ୍ୟା ୧୦କୁ ବୃଦ୍ଧି

30

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼ ଘଟଣାରେ ଏକ ବଡ଼ ତଥ୍ୟ ପଦାକୁ ଆସିଛି। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନଙ୍କ ପ୍ରଥମ ଟାର୍ଗେଟ୍ ଟାଇଗର ଶ୍ରଫ ନଥିଲେ। ଏହା ପୂର୍ବରୁ ଗ୍ୟାଙ୍ଗଷ୍ଟରମାନେ ସଲମାନ ଖାନ, ଆମୀର ଖାନ ଓ ରଣବୀର କପୁରଙ୍କ ଭଳି ପ୍ରସିଦ୍ଧ ଅଭିନେତାମାନଙ୍କ ଘର ଉପରେ ନଜର ରଖିଥିଲେ। ମୁମ୍ବାଇ ପୋଲିସ ଏହି ମାମଲାରେ ହରିୟାଣାର ସୋନିପତ ଜିଲ୍ଲାରୁ ଆଉ ୩ ଜଣଙ୍କୁ ଗିରଫ କରିବା ପରେ ମୋଟ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। ନୂଆ କରି ଗିରଫ ହୋଇଥିବା ସମୀର, ଜତିନ ଓ ଅଙ୍କିତ ଆକ୍ରମଣର ଯୋଜନା ପ୍ରସ୍ତୁତ କରିବା ସହ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସହାୟତା ଯୋଗାଇଥିବା ଅଭିଯୋଗ ରହିଛି। ତଦନ୍ତକାରୀ ଦଳର ସୂଚନା ଅନୁସାରେ, ଅଭିଯୁକ୍ତମାନେ ପ୍ରଥମେ ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ବାସଭବନ, ଆମୀର ଖାନଙ୍କ ଖାର୍‌ସ୍ଥିତ ଘର ଏବଂ ରଣବୀର କପୁରଙ୍କ ବାସଭବନ ନିକଟରେ ରେକି କରିଥିଲେ। ମାତ୍ର ଏହି ଅଭିନେତାମାନଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ସେମାନଙ୍କୁ ଟାର୍ଗେଟ କରିବା ସମ୍ଭବ ହୋଇନଥିଲା। ତୁଳନାତ୍ମକ ଭାବେ ଟାଇଗର ଶ୍ରଫଙ୍କ ସୁରକ୍ଷା କମ୍ ଥିବାରୁ ଅଭିଯୁକ୍ତମାନେ ତାଙ୍କୁ ଲକ୍ଷ୍ୟ କରିଥିବା ପୋଲିସ ସନ୍ଦେହ କରୁଛି। ଅନ୍ୟପଟେ ରାଜସ୍ଥାନର କୋଟାରୁ ଅଣାଯାଇଥିବା ଫୁଲ ସିଂହ, ରେହାନ ଅନସାରୀ ଓ ହ୍ରିତିକ କୁମାର ଓରଫ ରୋଶନ ରାମୁ ମହତୋଙ୍କୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପୃକ୍ତ ଏବଂ ଆମେରିକାରେ ରହୁଥିବା ଅନିଲ ପଣ୍ଡିତଙ୍କ ନିର୍ଦ୍ଦେଶରେ ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି।

Comments are closed, but trackbacks and pingbacks are open.