ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର

19

ବାରିପଦା: ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପୁରୀ ଜିଲ୍ଲାର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ଭୁବନେଶ୍ୱର ପ୍ରଶାନ୍ତ ପ୍ରଧାନ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଡିଟ୍ କାର୍ଯ୍ୟ ଶେଷ କରି ସେମାନେ ବାରିପଦା ଜିଲ୍ଲା ମଙ୍ଗଳ ଅଧିକାରୀ (DWO)ଙ୍କ କାର୍ଯ୍ୟାଳୟରୁ ସରକାରୀ ସ୍କର୍ପିଓ ଗାଡ଼ି ଯୋଗେ ରକ୍ସି ଲେନ୍‌ରେ ଥିବା ମହାପାତ୍ର ହୋଟେଲକୁ ଫେରୁଥିବା ବେଳେ ଧାରା ପଡ଼ିଥିଲେ । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୫୨ଟି ଲଫାପା ଏବଂ ୨୦ଟି ଖୋଲା ବିଡ଼ାରେ ଥିବା ମୋଟ ୫,୫୧,୫୧୦ ଟଙ୍କା (ସନ୍ଦିଗ୍ଧ ଲାଞ୍ଚ ଟଙ୍କା) ମିଳିଥିଲା, ଯାହାର କୌଣସି ସନ୍ତୋଷଜନକ ଉତ୍ତର ସେମାନେ ଦେଇପାରି ନ ଥିଲେ। ଏହାପରେ ସେମାନେ ରହୁଥିବା ହୋଟେଲ କୋଠରୀରେ ତଲାସି ନିଆଯାଇଥିଲା। ହୋଟେଲ କୋଠରୀରୁ ଆହୁରି ୮,୮୬,୮୩୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହି ଟଙ୍କା ସମ୍ପର୍କରେ କୌଣସି ହିସାବ ଦେଇ ନ ପାରିବାରୁ ସର୍ବମୋଟ ୧୪,୩୮,୩୪୦ ଟଙ୍କା ଭିଜିଲାନ୍ସ ଦ୍ୱାରା ଜବତ କରାଯାଇଛି। ଟଙ୍କାର ପ୍ରକୃତ ଉତ୍ସ ଜାଣିବା ପାଇଁ ସେମାନଙ୍କୁ ପଚରାଉଚରା କରାଯାଉଛି। ଏହି ଦୁଇ ଅଡିଟର ବାରିପଦା DWO କାର୍ଯ୍ୟାଳୟର ଅଡିଟ୍ କରିବା ପାଇଁ ଗତ ୩୦ ଅଗଷ୍ଟ ୨୦୨୬ରୁ ବାରିପଦାରେ ଡେରା ପକାଇଥିଲେ। ଏହା ଅଧୀନରେ ଥିବା ବିଭିନ୍ନ ଆଶ୍ରମ, ସେବାଶ୍ରମ, ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଏସଏସଡି (SSD) ହଷ୍ଟେଲଗୁଡ଼ିକର ଅଡିଟ୍ ଦାୟିତ୍ୱ ସେମାନେ ନେଇଥିଲେ। ସେମାନେ ପ୍ରଧାନଶିକ୍ଷକ ଓ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ସମସ୍ତ ସ୍କୁଲ ଓ ହଷ୍ଟେଲ ରେଜିଷ୍ଟର ତଥା ଫାଇଲ୍ ଧରି ବାରିପଦାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍କୁଲଗୁଡ଼ିକର ଅଡିଟ୍ ସୁରୁଖୁରୁରେ କରାଇଦେବା ପାଇଁ ପ୍ରତି ନାମଲେଖା ଥିବା ଛାତ୍ରଛାତ୍ରୀ ପିଛା ୧୦ ଟଙ୍କା ଲେଖାଏଁ ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗର ସତ୍ୟତା ଜାଣିବା ପରେ ଭିଜିଲାନ୍ସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Comments are closed, but trackbacks and pingbacks are open.