UAE ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

19

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ପାଞ୍ଚ ଦିନିଆ ଗସ୍ତରେ ଯିବେ । ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ । ଏହାସହିତ ପ୍ରବାସୀ ଓଡ଼ିଆଙ୍କୁ ସମ୍ୱୋଧନ କରି ଓଡ଼ିଶାର ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହିତ ଓଡ଼ିଶା ଏବଂ UAE ମଧ୍ୟରେ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେବାର କାର୍ଯ୍ୟକ୍ରମ ରହିଛି । ୯ ତାରିଖ ଦିନ ଇଣ୍ଟରନ୍ୟାସନାଲ ହୋଲ୍‌ଡିଂ କମ୍ପାନୀ (IHC), ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ୍, ପେଟ୍ରୋ କେମିକାଲ କ୍ଷେତ୍ରର ବୋରଗ୍ (Borouge) କମ୍ପାନୀ ଆଦି ବିଶ୍ୱସ୍ତରୀୟ କମ୍ପାନୀର ପ୍ରମୁଖ ନେତୃତ୍ୱ ଓ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ସେଦିନ ସନ୍ଧ୍ୟାରେ ଦୁବାଇରେ ‘One District One Product’ କାର୍ଯ୍ୟକ୍ରମ ଅଧୀନରେ ଉତ୍ପାଦିତ ଓଡ଼ିଶାର ବିଭିନ୍ନ ଦ୍ରବ୍ୟର ଏକ ପ୍ରଦର୍ଶନୀ ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି । ୧୦ ତାରିଖ ଦିନ UAE ର ଅର୍ଥନୀତି ତଥା ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନ୍‌ସିଲ ଅଫ୍ ଇଣ୍ଟରନ୍ୟାସନାଲ ଇନ୍‌ଭେଷ୍ଟମେଣ୍ଟସ’ର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ କାଉନସିଲ, ଏମିରେଟ୍ସ ଗ୍ଲୋବାଲ ଆଲୁମିନିଅମ୍‌ର ପ୍ରମୁଖ ନେତୃତ୍ୱମାନଙ୍କ ସହିତ ଆଲୋଚନା କରିବେ । ମିଡିଲ ଇଷ୍ଟ ରିସାଇକ୍ଲିଙ୍ଗ୍ ଆସୋସିଏସନ୍ ସହିତ ରାଉଣ୍ଡ ଟେବୁଲ ବୈଠକ, ଓଡ଼ିଶା ବିଜନେସ ଡେଲିଗେସନ୍ ସହିତ ଆଲୋଚନା ଆଦି କାର୍ଯ୍ୟକ୍ରମ ମଧ୍ୟ ରହିଛି । ୧୧ ତାରିଖ ଦିନ ଦୁବାଇରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ’ରେ ଉଦ୍ୟୋଗପତି ଓ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ । ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଗସ୍ତ କରୁଛନ୍ତି ।

Comments are closed, but trackbacks and pingbacks are open.