ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ବିଶେଷକରି ଉତ୍ତର, ଉପକୂଳ ଏବଂ ଏହାର ସଂଲଗ୍ନ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ । ୧୨ରୁ ୧୫ ଅଗଷ୍ଟ ମଧ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ IMD ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଡ଼ବର୍ଷା ନେଇ ସତର୍କତା ଜାରି କରିଛି । ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼, ଯାଜପୁର, ଢେଙ୍କାନାଳ, ଗଞ୍ଜାମ, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ହାଲୁକାରୁ ପ୍ରବଳ ବର୍ଷା ହୋଇପାରେ । ଅନ୍ୟ ଜିଲ୍ଲାରେ ମଧ୍ୟ ବର୍ଷା ଓ ଘଡ଼ଘଡ଼ିର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଗଞ୍ଜାମର ପାତ୍ରପୁରରେ ୮୦.୪ ମିମି, ଖୋର୍ଦ୍ଧାର ଚିଲିକାରେ ୭୭ ମିମି ଏବଂ ବେଲଗୁଣ୍ଠାରେ ୭୬ ମିମି ବର୍ଷା ରେକର୍ଡ ହୋଇଛି ।
Comments are closed, but trackbacks and pingbacks are open.