ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ୬ ସପ୍ତାହର ଇଣ୍ଟର୍ନସିପ୍ ବାଧ୍ୟତାମୂଳକ

24

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି (NEP)-୨୦୨୦ ଅନୁଯାୟୀ ଏଣିକି ସ୍ନାତକ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୬ ସପ୍ତାହ ବା ୩୫ କାର୍ଯ୍ୟଦିବସର ବାଧ୍ୟତାମୂଳକ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ଏନ୍‌ଗେଜମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାକୁ ରାଜ୍ୟବ୍ୟାପୀ ସଫଳ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ସରକାରୀ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି। ଏହି ନୂଆ ବ୍ୟବସ୍ଥା ଅନୁସାରେ ସରକାରୀ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ (PSU), ଏମ୍‌ଏସ୍‌ଏମ୍‌ଇ, ଆଇଟି କମ୍ପାନୀ, ଷ୍ଟାର୍ଟଅପ୍, ଶିଳ୍ପ ସଂସ୍ଥା, ବ୍ୟାଙ୍କ, ଗଣମାଧ୍ୟମ, ବ୍ଲକ ଓ ତହସିଲ କାର୍ଯ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ ଓ ପଞ୍ଜୀକୃତ ସ୍ୱେଚ୍ଛାସେବୀ ସଂଗଠନରେ ଇଣ୍ଟର୍ନସିପ୍ ସୁଯୋଗ ସୃଷ୍ଟି କରାଯିବ। ଏଥିପାଇଁ ରାଜ୍ୟବ୍ୟାପୀ ଉପଲବ୍ଧ ଇଣ୍ଟର୍ନସିପ୍ ସୁଯୋଗର ମ୍ୟାପିଂ କରାଯିବ। ଉଚ୍ଚଶିକ୍ଷା ବିଭାଗ ସମସ୍ତ ପ୍ରଶାସନିକ ବିଭାଗକୁ ନିଜ ଅଧୀନସ୍ଥ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ଥିବା ଇଣ୍ଟର୍ନସିପ୍ ସୁବିଧା ସମ୍ପର୍କିତ ତଥ୍ୟ ଗୁଗୁଲ୍ ଫର୍ମ ମାଧ୍ୟମରେ ଦେବାକୁ କହିଛି। ସେହିପରି ପ୍ରତ୍ୟେକ ବିଭାଗରେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରାଯିବ, ଯିଏ ଉଚ୍ଚଶିକ୍ଷା ବିଭାଗ ସହ ସମନ୍ୱୟ ରକ୍ଷା କରିବେ। ଇଣ୍ଟର୍ନସିପ୍ ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା ଛାତ୍ରଛାତ୍ରୀ ୪ଟି ଏକାଡେମିକ୍ କ୍ରେଡିଟ୍ ହାସଲ କରିବେ। ଦୈନିକ ଲଗ୍‌ବୁକ୍, ଭାଇଭା ମୂଲ୍ୟାୟନ ଓ ଅନ୍‌ଲାଇନ୍ ଅଭିଯୋଗ ନିରାକରଣ ବ୍ୟବସ୍ଥା ମଧ୍ୟ ରହିବ। ମାତ୍ର ଇଣ୍ଟର୍ନସିପ୍ କରୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଷ୍ଟାଇପେଣ୍ଡ ମିଳିବ ନାହିଁ |

Comments are closed, but trackbacks and pingbacks are open.