କଟକ: ଚୌଦ୍ୱାର ସର୍କଲ ଜେଲ୍ରୁ ବିହାରୀ କଏଦୀ ଫେରାର ଘଟଣାରେ ଜେଲ୍ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସୁଜିତଙ୍କ ଆଗୁଆ ଜାମିନ ଆବେଦନକୁ ପୋଲିସ କଡ଼ା ବିରୋଧ କରିବା ସହ ଏନେଇ ହାଇକୋର୍ଟରେ ଏକ ଆପତ୍ତି ପତ୍ର ଦାଖଲ କରିଛି। ଦାଖଲ ହୋଇଥିବା ଆପତ୍ତି ପତ୍ରରେ ବରିଷ୍ଠ ଅଧୀକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଅଣାଯାଇଛି। ସେ ଜାମିନରେ ଆସିଲେ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ ଏବଂ ସାକ୍ଷୀଙ୍କୁ ଚାପଗ୍ରସ୍ତ କରିବାର ଆଶଙ୍କା ଥିବାରୁ ତାଙ୍କୁ ଆଗୁଆ ଜାମିନ ନଦେବାକୁ ପୋଲିସ ଅନୁରୋଧ କରିଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ଘଟଣାର ସିସିଟିଭି ଫୁଟେଜ୍, ଜେଲ୍ ଗେଟ୍ ରେଜିଷ୍ଟର ଏବଂ ଡିଆଇଜି ପ୍ରିଜନ୍ସଙ୍କ ରିପୋର୍ଟ ମଧ୍ୟରେ ଗୁରୁତର ଅସଙ୍ଗତି ରହିଛି। ଘଟଣା ସମୟରେ ସୁଜିତ ରାଉଳ ନିୟମିତ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ନଥିଲେ ମଧ୍ୟ ରେଜିଷ୍ଟରରେ ତାଙ୍କ ଉପସ୍ଥିତି ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣେ ବରିଷ୍ଠ ସରକାରୀ ଅଧିକାରୀ ହୋଇଥିବାରୁ ଜାମିନ ପାଇଲେ ସେ ନିଜ ପଦବୀର ଅପବ୍ୟବହାର କରି ଅଧସ୍ଥନ କର୍ମଚାରୀଙ୍କ ଉପରେ ଚାପ ପକାଇବା ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କିମ୍ବା ଇଲେକ୍ଟ୍ରୋନିକ ପ୍ରମାଣ ନଷ୍ଟ କରିପାରନ୍ତି ବୋଲି ପୋଲିସ ଆପତ୍ତି ଦର୍ଶାଇଛି।
Comments are closed, but trackbacks and pingbacks are open.