କୋଟି ଓଡ଼ିଆଙ୍କ ମଉଡ଼ମଣୀଙ୍କ ନବ ଯୌବନ ଦର୍ଶନ

8

ପୁରୀ: ସ୍ନାନ ପୂର୍ଣିମାରେ ମହାସ୍ନାନ ଯୋଗୁଁ ଅସୁସ୍ଥ ହୋଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ୧୫ ଦିନ ଅଣସର ଘରେ ରହିଥାନ୍ତି | ୧୫ ଦିନ ପରେ ନବଯୌବନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ପବିତ୍ର ଅବସରକୁ ନବଯୌବନ ଦର୍ଶନ ବୋଲି କୁହାଯାଏ। ଶ୍ରୀଜଗନ୍ନାଥଙ୍କ ଅଣସର ପରର ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ନୀତି ହେଉଛି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ l ଅଣସର ପରେ ପ୍ରଥମେ ନବଯୌବନ ଦର୍ଶନ ଓ ତା’ ପରେ ନେତ୍ରୋତ୍ସବ ହୋଇଥାଏ l ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜିତ ପଟଦିଅଁମାନଙ୍କୁ ବିସର୍ଜନ କରି ଦିଆଯାଏ l ପଟରେ ଆରୋପିତ ଦେବତା ପୁଣି ଦାରୁବ୍ରହ୍ମ ରୂପରେ ଦର୍ଶନ ଦିଅନ୍ତି l ଏହା ହେଉଛି ନବଯୌବନ ଦର୍ଶନ l ଏହା ପରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହୁଏ l ନେତ୍ରୋତ୍ସବ ଦିନ ଦତ୍ତ ମହାପାତ୍ର ସେବକ ତିନିଟି ରୂପା ପାତ୍ରରେ କଳା ପ୍ରସ୍ତୁତ କରି ଦେବା ପରେ ପୂଜାପଣ୍ଡା ସେବକ ସେହି ନେତ୍ର ପିତୁଳା ଅଙ୍କନକୁ ସଂପୂର୍ଣ୍ଣ କରିଥାଆନ୍ତି l ତିନି ଖଣ୍ଡି ତୁଳସୀ କାଠିରେ ତାହା କରାଯାଏ l ନବଯୌବନ ଦର୍ଶନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥାଏ। ଏହି ପବିତ୍ର ଦର୍ଶନ ଓଡ଼ିଶାର ଧାର୍ମିକ ପରମ୍ପରା ଓ ଜଗନ୍ନାଥ ସଂସ୍କୃତିର ଏକ ଅନନ୍ୟ ପରିଚୟ ଭାବେ ପରିଗଣିତ। ଆଜି ହେଉଛି ମହାପ୍ରଭୁଙ୍କ ସେଇ ପବିତ୍ର ଦିନ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ। ସୂଚନା ମୁତାବକ, ନବଯୌବନ ଦର୍ଶନ ଅବସରରେ ଭିତର କାଠ ନିକଟରେ ପରିମାଣିକ ଦର୍ଶନ ମଧ୍ୟାହ୍ନ ୨ଟା ୩୦ ମିନିଟରୁ ୩ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ। ସେହିପରି ଭିତର କାଠ ନିକଟରେ ସର୍ବସାଧାରଣଙ୍କ ଦର୍ଶନ ମଧ୍ୟାହ୍ନ ୩ଟା ୩୦ ମିନିଟରୁ ୪ଟା ୩୦ ମିନିଟ ପର୍ଯ୍ୟନ୍ତ ହେବ। ନିର୍ଦ୍ଧାରିତ ସମୟ ମଧ୍ୟରେ ଶୃଙ୍ଖଳିତ ଭାବେ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Comments are closed, but trackbacks and pingbacks are open.