ଭଦ୍ରକ: ଭଦ୍ରକ ଜିଲ୍ଲାରେ ଅତି ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗୋଟିଏ ଦିନ ପାଇଁ ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍ରେ ଛୁଟି ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସୁବିଧା ଏବଂ ଯାତାୟାତରେ ସମ୍ଭାବ୍ୟ ଅସୁବିଧାକୁ ବିଚାରକୁ ନେଇ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେତେକ ସ୍ଥାନରେ ରାସ୍ତାଘାଟ ମଧ୍ୟ ପ୍ରଭାବିତ ହୋଇଛି । ଏଭଳି ପରିସ୍ଥିତିରେ ସ୍କୁଲ୍କୁ ଯିବା ଆସିବା ସମୟରେ ଛାତ୍ରଛାତ୍ରୀମାନେ କୌଣସି ବିପଦର ସମ୍ମୁଖୀନ ନ ହୁଅନ୍ତୁ, ସେଥିପାଇଁ ପୂର୍ବ ସତର୍କତାମୂଳକ ପଦକ୍ଷେପ ଭାବେ ଛୁଟି ଘୋଷଣା କରାଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ପାଣିପାଗରେ ପରିବର୍ତ୍ତନ ହେଲେ ଆବଶ୍ୟକ ଅନୁଯାୟୀ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି । ସମ୍ଭାବ୍ୟ ବର୍ଷାକୁ ନେଇ ସମସ୍ତ ସରକାରୀ ବିଭାଗକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି,ପୁରୀ, ଖୋର୍ଦ୍ଧା, ନୟାଗଡର ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିବା ଅନୁମାନ କରିଛି ପାଣିପାଗ ବିଭାଗ ।
Comments are closed, but trackbacks and pingbacks are open.