ରାଜଧାନୀରେ ପୁଣି ହିଟ୍ ଆଣ୍ଡ୍ ରନ୍‌: ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

29

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ସଡ଼କ ଦୁର୍ଘଟଣାରେ ରକ୍ତ ଭିଜିଛି ରାଜପଥ। ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆରପି ଛକ ଓଭରବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ‘ହିଟ୍ ଆଣ୍ଡ୍ ରନ୍‌’ ମାମଲା ସାମ୍ନାକୁ ଆସିଛି। ଏକ ଦ୍ରୁତଗାମୀ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ପଶ୍ଚିମବଙ୍ଗର ସୌମ୍ୟ ରଞ୍ଜନ ମାନା ବୋଲି ଜଣାପଡ଼ିଥିବା ବେଳେ ଗୁରୁତର ଆହତ ଯୁବକ ଜଣକ ହେଲେ ଜଗତସିଂହପୁର ଜିଲ୍ଲାର ଜ୍ୟୋତି ରଞ୍ଜନ ସାହୁ। ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ସୌମ୍ୟ ଓ ଜ୍ୟୋତି ଏକ ବାଇକ୍ ଯୋଗେ ସିଆରପି ଛକ ଓଭରବ୍ରିଜ୍ ଦେଇ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ସମ୍ମୁଖରୁ ଶକ୍ତ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ। ତେବେ ଦୁର୍ଘଟଣା ଘଟାଇବା ପରେ ଚାଳକ ଜଣକ ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର ସୌମ୍ୟଙ୍କୁ ମୃତ ଘୋଷଣା କରିଥିବା ବେଳେ ଜ୍ୟୋତିଙ୍କ ଚିକିତ୍ସା ଜାରି ରହିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଫେରାର ଗାଡ଼ିର ସନ୍ଧାନ ପାଇଁ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।

Comments are closed, but trackbacks and pingbacks are open.