ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ପୁଣି ଏକ ଲଘୁଚାପ ଆସୁଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ସପ୍ତାହ ଅର୍ଥାତ୍ ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବାରୁ ଏହି ଲଘୁଚାପ ସୃଷ୍ଟି ହେବା ସହ ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ରଥଯାତ୍ରା ସମୟକୁ ହିଁ ରାଜ୍ୟରେ ବର୍ଷାର ପରିମାଣ ବହୁତ ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷରେ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ଏହି ସମୟ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ପରବର୍ତ୍ତୀ ସମୟରେ ନୂଆ ଲଘୁଚାପ ସକ୍ରିୟ ହେବା ମାତ୍ରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥିତିକୁ ନଜରରେ ରଖି ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆଲର୍ଟ ଜାରି କରାଯାଇଛି।
Comments are closed, but trackbacks and pingbacks are open.