ଜଟଣୀରେ ଯୁବକଙ୍କୁ ବିଭତ୍ସ ହତ୍ୟା; ପୂର୍ବ ଶତ୍ରୁତା ସନ୍ଦେହ, ୩ ଅଟକ

34

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଗାଁ ଛକ ନିକଟରେ ଜଣେ ଯୁବକଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରାଯାଇଛି। ବିଳମ୍ବିତ ରାତିରେ ଘଟିଥିବା ଏହି କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଓ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଯୁବକ ଜଣକ ହେଲେ ଖୁଦୁପୁର ଗାଁର ମାର୍କଣ୍ଡ ବଲିଆରସିଂ ଓରଫ ଜଗା। ସେ ଡେଲାଙ୍ଗ ହରିରାଜପୁର ସ୍ଥିତ ବିଦ୍ୟୁତ ସବ୍-ଷ୍ଟେସନରେ ଆସିଷ୍ଟାଣ୍ଟ୍ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ଖବର ପାଇ ଆଜି ସକାଳୁ ଜଟଣୀ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ସହ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଏହି ମାମଲାରେ କମିଶନରେଟ୍ ପୋଲିସ ତତ୍ପରତା ପ୍ରକାଶ କରି ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ସେମାନଙ୍କୁ ଜେରା ଚଳାଇଛି।

Comments are closed, but trackbacks and pingbacks are open.