ଇଭି ବିକ୍ରିରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

19

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଉପରେ ଚାପ ବଢ଼ିଛି। ଏହାର ସିଧାସଳଖ ପ୍ରଭାବ ଗାଡ଼ି କିଣୁଥିବା ଗ୍ରାହକଙ୍କ ଉପରେ ପଡ଼ିଥିବା ବେଳେ ବର୍ତ୍ତମାନ ଅଧିକାଂଶ ଲୋକ ଇଲେକ୍ଟ୍ରିକ୍ ଭେହିକଲ୍ (EV) ଓ ସିଏନ୍‌ଜି ଭଳି ବିକଳ୍ପ ଇନ୍ଧନ ଚାଳିତ ଗାଡ଼ିକୁ ପସନ୍ଦ କରୁଛନ୍ତି। ଏହାର ପ୍ରଭାବରେ ଗତ ଜୁନ୍‌ ମାସରେ ଦେଶରେ ଇଭି ବିକ୍ରି ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି। ଏହି ପରିବର୍ତ୍ତନଶୀଳ ଧାରା ମଧ୍ୟରେ ଇଲେକ୍ଟ୍ରିକ୍ ଯାନ ଗ୍ରହଣରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଜାତୀୟ ସ୍ତରରେ ନୂଆ ଦୁଇଚକିଆ ଯାନ ବିକ୍ରିରେ ଇଭିର ଭାଗ ୯.୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୭ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ୍ ରାଜ୍ୟରେ ବିକ୍ରି ହେଉଥିବା ପ୍ରତି ୧୦୦ଟି ନୂଆ ସ୍କୁଟର ଓ ମୋଟରସାଇକେଲ୍ ମଧ୍ୟରୁ ୧୭ଟି ହେଉଛି ଇଲେକ୍ଟ୍ରିକ୍ ଯାନ। କାର୍ ବିକ୍ରି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି। ପରିସଂଖ୍ୟାନ ଅନୁସାରେ, ୨୦୨୫ରେ ଓଡ଼ିଶାରେ ମୋଟ ଦୁଇଚକିଆ ବିକ୍ରିରେ ଇଭିର ଅଂଶ ୯.୫ ପ୍ରତିଶତ ଥିଲା। ୨୦୨୬ର ଜାନୁଆରି-ଫେବ୍ରୁଆରିରେ ଏହା ୧୦.୩ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ଏହା ସିଧାସଳଖ ୧୭ ପ୍ରତିଶତକୁ ପହଞ୍ଚିଛି। ସେହିପରି ଇଭି କାର୍ ବିକ୍ରି ମଧ୍ୟ ୪ ପ୍ରତିଶତରୁ ବଢ଼ି ୭.୫ ପ୍ରତିଶତ ହୋଇଛି। ବିଶେଷକରି ମଧ୍ୟପ୍ରାଚ୍ୟ ଯୁଦ୍ଧ ପରବର୍ତ୍ତୀ ସମୟରେ ଇଭି ବିକ୍ରିରେ ଦ୍ରୁତ ବୃଦ୍ଧି ଦେଖାଯାଇଛି। ଇନ୍ଧନ ମୂଲ୍ୟ ବୃଦ୍ଧି, ପରିବେଶ ସୁରକ୍ଷା ପ୍ରତି ସଚେତନତା ଓ ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ଇଭି ପ୍ରତି ଲୋକଙ୍କ ଆକର୍ଷଣ ଦିନକୁ ଦିନ ବଢ଼ୁଛି।

Comments are closed, but trackbacks and pingbacks are open.