ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ବ୍ୟାନର୍ ମରାକୁ କେନ୍ଦ୍ର କରି ବିଶ୍ୱବିଦ୍ୟାଳୟର ସମସ୍ତ ଗେଟରେ ତାଲା ପକାଇ ନାରାବାଜି କରିଛନ୍ତି । ଉତ୍ତେଜନା ପରିସ୍ଥିତିକୁ ଦେଖି ବିଶ୍ୱବିଦ୍ୟାଳୟ ପରିସରରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମିଳିଥିବା ସୂଚନାରୁ, ଛାତ୍ରୀ ସାଂସଦ ନିର୍ବାଚନ ପୂର୍ବରୁ ରମାଦେବୀ ବିଶ୍ୱବିଦ୍ୟାଳୟରେ ଏକ ପୋଷ୍ଟର ମରାକୁ ନେଇ ଉଭୟ ଛାତ୍ରୀ ସଂଗଠନ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ବର୍ତ୍ତମାନ ବିଶ୍ୱବିଦ୍ୟାଳୟକୁ ନୂତନ ପିଲା ଆସୁଥିବାରୁ ସେମାନଙ୍କ ପାଇଁ ଉଭୟ ଛାତ୍ର ସଂଗଠନ ପକ୍ଷରୁ ହେପ୍ଲ ଡେସ୍କ ବ୍ୟାନର୍ ଲାଗିଥିଲା । ମାତ୍ର ଏହାକୁ ବାହାର କରିବାକୁ ନେଇ ଦୁଇ ଗୋଷ୍ଟି ମୁହାଁମୁହିଁ ହୋଇଥିଲେ । ଜଣେ ଏବିଭିପି ସଂଗଠନର ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଜଣେ ଅଣଛାତ୍ରୀ ଯିଏକି ବିଜୁ ଛାତ୍ର ଜନତା ଦଳର ସଦସ୍ୟ ଅଟନ୍ତି ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ବ୍ୟାନର ହଟାଇବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା । ସେ ମନା କରିବାରୁ ଉକ୍ତ ଅଣଛାତ୍ରୀ ଜଣକ ତାଙ୍କ ଉପରେ ହାତ ଉଠାଇଥିଲେ । ଏହା ପରେ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ଏବିଭିପିର ଛାତ୍ରଙ୍କୁ ଜଣାଇଥିଲେ । ସେମାନେ ଆସି କୁଳପତିଙ୍କ ସହିତ ଆଲୋଚନା କରିବାକୁ ଯାଇଥିବାବେଳେ ବିଜୁ ଛାତ୍ର ଜନତା ଦଳ ଏହାକୁ ବିରୋଧ କରି ନାରାବାଜି କରିଥିଲେ । ଏହା ପରେ ସେମାନେ ଗେଟ୍ ଫାଟକରେ ତାଲା ପକାଇ ଦେଇଥିଲେ । ଏହାକୁ କେନ୍ଦ୍ର କରି ବିଶ୍ୱବିଦ୍ୟାଳୟ ପରିସର କିଛି ସମୟ ପାଇଁ ଅଶାନ୍ତ ହୋଇପଡ଼ିଥିଲା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସହିଦନଗର ଥାନା ପୋଲିସକୁ ଖବର ଦେବା ପରେ ତୁରନ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
Comments are closed, but trackbacks and pingbacks are open.