ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ:ଗାୟିକା ଅଳକା ୟାଗନିକ୍ ଙ୍କୁ ମିଳିଲା ପଦ୍ମ ଭୂଷଣ

28

ନୂଆଦିଲ୍ଲୀ: ୨୦୨୬ର ୨ୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ମଙ୍ଗଳବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି । ଗଣତନ୍ତ୍ର ଦିବସ ପୂର୍ବରୁ ଅର୍ଥାତ ଜାନୁଆରୀ ୨୫ ତାରିଖରେ ୧୩୧ ଜଣ ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । ଏହି କ୍ରମରେ ୨ୟ ପର୍ଯ୍ୟାୟରେ ଦେଶର ୬୫ ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ଓଡ଼ିଶାର ୩ ଜଣ । ସାହିତ୍ୟ, ଶିକ୍ଷା ଓ କଳା କ୍ଷେତ୍ରରେ ଅବଦାନ ପାଇଁ ଏମାନଙ୍କୁ ଏହି ସମ୍ମାନ ମିଳିଛି । ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ବ୍ରମ ଏବଂ କଳା କ୍ଷେତ୍ରରେ ଶରତ ଚନ୍ଦ୍ର ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ମିଳିଛି ଏହି ସମ୍ମାନ l ଶ୍ରୀ ଚରଣ ହେମ୍ବ୍ରମ ଜଣେ ସାନ୍ତାଳୀ (ଓଲ ଚିକି) ଶିକ୍ଷାବିତ୍ ଏବଂ ସାଂସ୍କୃତିକ କର୍ମୀ । ଓଡ଼ିଶାରେ ସାନ୍ତାଳୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ଏବଂ ପ୍ରସାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଶରତ ପାତ୍ର ହେଉଛନ୍ତି ଇକତ ଓ ବାନ୍ଧକଳାରେ ନିପୁଣତା ହାସଲ କରିଥିବା କଟକ ନୂଆପାଟଣା ମାଣିଆବନ୍ଧ ହସ୍ତତନ୍ତ ବୁଣାକାର । ସେହିପରି ସୀମାଞ୍ଚଳ ପାତ୍ର ଗଞ୍ଜାମ ଅଞ୍ଚଳର ଜଣେ ପ୍ରସିଦ୍ଧ ଲୋକ କଳାକାର ଅଟନ୍ତି । ଏହି ଅବସରରେ ରାଷ୍ଟ୍ରପତି ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟିକା ଅଳକା ୟାଗନିକ୍ ଏବଂ ମାଲାୟଲମ ସୁପରଷ୍ଟାର ମାମୁଟିଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଛନ୍ତି। ଏଥିସହିତ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଛି ।

Comments are closed, but trackbacks and pingbacks are open.