ଭୁବନେଶ୍ୱର: ରଜ ପର୍ବ ଦକ୍ଷିଣ ଆଫ୍ରିକାରେ ଧୁମଧାମରେ ପାଳିତ ହୋଇଯାଇଛି। ଜୋହାନ୍ସବର୍ଗର ବ୍ଲେୟାରଗୋରି ରିକ୍ରିଏସନ୍ ସେଣ୍ଟରରେ ଭାରତୀୟ କନସୁଲେଟ୍ ଜେନେରାଲ ଏବଂ ହାଇ-କମିସନ୍ କାର୍ଯ୍ୟାଳୟର ସହଯୋଗରେ ଆୟୋଜିତ ଓଡ଼ିଆ ସଂପ୍ରଦାୟର ମହୋତ୍ସବରେ ରଜପିଠାର ବାସ୍ନା ମହକି ଥିବା ବେଳେ ଓଡ଼ିଶୀ ନୃତ୍ୟରେ ଦର୍ଶକ ଆତ୍ମବିଭୋର ହୋଇଛନ୍ତି। ସମାରୋହରେ ଭାରତୀୟ ହାଇ କମିସନ୍ କାର୍ଯ୍ୟାଳୟର ଡେପୁଟି ହାଇ କମିସନ୍ ବାନୁ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି କନସୁଲେଟ୍ ଅଧିକାରୀ ସୁମତି ରାଓଙ୍କ ସମେତ ଭାରତୀୟ ସମ୍ପ୍ରଦାୟ ତଥା ସାଂସ୍କୃତିକ ସଂଘର ମୁଖ୍ୟ ଏବଂ ବିଭିନ୍ନ କର୍ପୋରେଟ୍ ଉପସ୍ଥିତ ଥିଲେ। ଓଡ଼ିଶାର ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହାର ପରେ ପରେ କାଳକାରମାନେ ଓଡ଼ିଶୀ ନୃତ୍ୟ, ମହାପ୍ରଭୁ ଜଗନ୍ନାଥଙ୍କ ଭଜନ, ଓଡିଶାର ମେଲୋଡ଼ି ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଛୋଟ ପିଲା, ମହିଳା ଏବଂ ଝିଅମାନେ ସାମିଲ ହୋଇ ସମ୍ବଲପୁରୀ ନୃତ୍ୟ, ବଲିଉଡ୍ ସଙ୍ଗୀତ, ଓଡ଼ିଆ ରଜ ଗୀତ ଇତ୍ୟାଦି ପରିବେଷଣ କରିଥିଲେ। ସମାରୋହରେ କଳାକାରମାନେ ଓଡ଼ିଆ କିମ୍ବଦନ୍ତୀ ଅକ୍ଷୟ ମହାନ୍ତି ଏବଂ ବଲିଉଡ୍ ଗୀତର ପ୍ରସ୍ତୁତି ଦେଇଥିଲେ। ଏହି ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଆ ସଂପ୍ରଦାୟ ଦ୍ବାରା ଓଡ଼ିଶା ହସ୍ତତନ୍ତ ପଦର୍ଶିତ ଏକ ରାମ୍ପୱାକ୍ ସୋ’ର ଆୟୋଜନ ହୋଇଥିଲା। ସେହିପରି ଓଡ଼ିଶାର ପ୍ରସିଦ୍ଧ ଦହିବରା ଆଳୁଦମ, ଚକୁଳି ପିଠା, ମଟନ, ସୁଜି ମଣ୍ଡା, ରସଗୋଲା, ଛେନାପୋଡ଼, ପୋଡପିଠା, ସିଙ୍ଗଡ଼ା, ଆଦି ଉପସ୍ଥିତ ଲୋକଙ୍କୁ ପରସା ଯାଇଥିଲା। ଏହି ସମାରୋହର ସଫଳତା ପାଇଁ ଓଡ଼ିଆ ସାଂସ୍କୃତିକ ସଂଘ ସମସ୍ତ ପ୍ରାୟୋଜକ ଓ ଅଂଶୀଦାରମାନଙ୍କୁ କୃତଜ୍ଞତା ଜଣାଇଛି।
Comments are closed, but trackbacks and pingbacks are open.