ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗକୁ ନେଇ କଠୋର ହେଲେ ମୁଖ୍ୟମନ୍ତ୍ରୀ

43

ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଧରାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ କଠୋର ପଦକ୍ଷେପ ନେଇଛନ୍ତି। ଆଜି ସେକ୍ରେଟେରିଏଟ୍‌ରେ ଅନୁଷ୍ଠିତ ଏକ ଜରୁରୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କେବଳ ଅଧିକାରୀଙ୍କ ରିପୋର୍ଟ ଶୁଣି ନାହାନ୍ତି, ବରଂ ବହିରେ ପ୍ରକୃତରେ କଣ ଭୁଲ୍ ରହିଛି ତାହା ନିଜ ଆଖିରେ ଦେଖିବା ପାଇଁ ଅଧିକାରୀମାନଙ୍କୁ ସିଧାସଳଖ ସେହି ତ୍ରୁଟିପୂର୍ଣ୍ଣ ପୁସ୍ତକ ମାଗିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ମାମଲାକୁ ସରକାର କେତେ ଗମ୍ଭୀରତାର ସହ ନେଇଛନ୍ତି। ଏହି ସମୀକ୍ଷା ବୈଠକରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମେତ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଏବଂ ଶିକ୍ଷା ବିଭାଗର ଅନ୍ୟାନ୍ୟ ବରିଷ୍ଠ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ପିଲାଙ୍କ ପାଠପଢ଼ାରେ ଯେପରି କୌଣସି ବ୍ୟାଘାତ ନଉପୁଜେ ଏବଂ ଏହି ଭୁଲ୍ ସୂଚନା ଯୋଗୁଁ ସେମାନେ ଯେପରି ବିଭ୍ରାନ୍ତ ନହୁଅନ୍ତି, ସେଥିପାଇଁ ତୁରନ୍ତ ଏକ ଆକ୍ସନ ପ୍ଲାନ୍ ବା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଶିକ୍ଷାବର୍ଷରେ ପ୍ରକାଶିତ ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କେତେକ ବିଷୟଭିତ୍ତିକ ବହିରେ ଏହି ମୁଦ୍ରଣ ଜନିତ ତ୍ରୁଟି ରହିଯାଇଛି। ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏହି ଭୁଲଗୁଡ଼ିକୁ ଚିହ୍ନଟ କରିବା ସହ କେଉଁ ପୃଷ୍ଠାରେ କଣ ଭୁଲ୍ ଅଛି ଏବଂ ତା’ର ସଠିକ୍ ଉତ୍ତର କଣ ହେବ, ସେନେଇ ଏକ ସୂଚୀପତ୍ର ବା ଶୁଦ୍ଧିପତ୍ର ପ୍ରସ୍ତୁତ କରି ସାରିଛି। ଏହି ସଂଶୋଧନ ଗାଇଡଲାଇନକୁ ଆଧାର କରି ଓସେପା କର୍ତ୍ତୃପକ୍ଷଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏସସିଇଆରଟି ନିର୍ଦ୍ଦେଶକ ଚିଠି ଲେଖିଛନ୍ତି।

Comments are closed, but trackbacks and pingbacks are open.