ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ବସ୍; ଡ୍ରାଇଭର ମୃତ, ୨୦ରୁ ଅଧିକ ଆହତ

37

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ତୀର୍ଥଯାତ୍ରୀ ବସ୍ ଡିଭାଇଡର୍‌ରେ ପିଟି ହେବା ଫଳରେ ଗାଡ଼ି ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୋର ଥାନା ଅନ୍ତର୍ଗତ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳରୁ ‘ଶ୍ରୀଲକ୍ଷ୍ମୀ’ ନାମକ ଏକ ଘରୋଇ ବସ୍ ପ୍ରାୟ ୫୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ତୀର୍ଥସ୍ଥଳୀ ଦର୍ଶନ ପାଇଁ ଯାଇଥିଲା। ସେଠାରେ ଭ୍ରମଣ ସାରି ଆଜି ସେମାନେ କୋଲକାତାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଫେରୁଥିଲେ। ତେବେ ସକାଳ ସମୟରେ ସୋର ଥାନା ବିଦୁ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ଚାଳକ ଜଣକ ହଠାତ୍ ବସ୍ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ଗାଡ଼ିଟି ଦ୍ରୁତ ଗତିରେ ଯାଇ ରାଜପଥର ଡିଭାଇଡର୍‌ରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ସମୟରେ ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଏଥିମଧ୍ୟରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୋର ଥାନା ଏସଆଇ ଡିକେ ବେହେରାଙ୍କ ସୂଚନା ଅନୁସାରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Comments are closed, but trackbacks and pingbacks are open.