ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ‘ରଜ’କୁ ନେଇ ଆଜି ସାରା ରାଜ୍ୟ ଚଳଚଞ୍ଚଳ। ବଡ଼ ଧୂମଧାମରେ ଆରମ୍ଭ ହୋଇଯାଇଛି ରଜ ମଉଜ। ପ୍ରଥମ ଦିନ ଅର୍ଥାତ୍ ‘ପହିଲି ରଜ’ ଅବସରରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରଜ ପର୍ବ ହେଉଛି ଧରଣୀ ମା’ଙ୍କ ଉର୍ବରତା ଏବଂ ନବଯୌବନର ପ୍ରତୀକ। ପାରମ୍ପରିକ ବିଶ୍ୱାସ ଅନୁଯାୟୀ, ଏହି ତିନି ଦିନ ମାଟି ମା’ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି। ତେଣୁ ଆଗାମୀ ଚାଷ ଅନୁକୂଳ ପାଇଁ ମାଟିକୁ ପ୍ରସ୍ତୁତ କରିବା ସହ ପ୍ରକୃତିକୁ ସମ୍ମାନ ଜଣାଇ ଏହି ଦିନମାନଙ୍କରେ: ହଳ କରିବା, କୋଡ଼ି ହାଣିବା ବା ମାଟି ଖୋଳିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥାଏ। ପହିଲି ରଜର ମୁଖ୍ୟ ଆକର୍ଷଣ ହେଉଛି କୁମାରୀମାନଙ୍କ ସଜବାଜ, ରଜ ଦୋଳି, ପିଠାପଣାର ମହକ ଓ ରଜ ପାନର ଚମକ। ଏହି ଦିନରେ ଝିଅମାନେ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ବିଭିନ୍ନ ପ୍ରକାର ପିଠାପଣା ସହ ରଜପାନର ମଜା ନେଇଥାନ୍ତି। ଗାଁରୁ ସହର ପ୍ରାୟ ସବୁଠି ପାରମ୍ପରିକ ରଜ ଦୋଳି ବନ୍ଧାଯାଇଛି। “ବନସ୍ତେ ଡାକିଲା ଗଜ…” ଭଳି ସୁମଧୁର ରଜ ଗୀତ ଗାଇ ଝିଅମାନେ ଆନନ୍ଦରେ ଦୋଳି ଖେଳୁଥିବା ଦେଖିବାକୁ ମିଳୁଛି।
Comments are closed, but trackbacks and pingbacks are open.