ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ: ୫ ମହଲା ବିଲ୍ଡିଂରେ ନିଆଁ ଲାଗି ୩ ମୃତ, ୫ ଗୁରୁତର

44

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦକ୍ଷିଣ ଦିଲ୍ଲୀର ତୁଗଲକବାଦ ଅଞ୍ଚଳରେ ଥିବା ଏକ ୫ ମହଲା ବିଶିଷ୍ଟ ଆବାସିକ ଅଟ୍ଟାଳିକାରେ ନିଆଁ ଲାଗିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ୨୫ ମିନିଟ୍‌ରେ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ସୂଚନା ମିଳିଥିଲା। ଖବର ପାଇବା ମାତ୍ରେ ହିଁ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି, ୨ଟି ୱାଟର ବ୍ରାଉଜର ଏବଂ କ୍ୱିକ୍ ରେସପନ୍ସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାରକାରୀ ଦଳ ବିଲ୍ଡିଂ ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରି ମେଡିକାଲ ପଠାଇଥିଲେ। ଅଗ୍ନିକାଣ୍ଡରେ ଗୁରୁତର ୩ ଜଣଙ୍କୁ ଏମ୍ସ (AIIMS) ଟ୍ରମା ସେଣ୍ଟରର ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ୫ ଜଣ ମହିଳାଙ୍କ ମଧ୍ୟରୁ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ବାକି ୩ ଜଣ ଗୁରୁତର ମହିଳାଙ୍କ ଚିକିତ୍ସା ଏବେ ଜାରି ରହିଛି।

Comments are closed, but trackbacks and pingbacks are open.