ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ଦେବାଶିଷ, ବିଜେପି କାର୍ଯ୍ୟାଳୟରେ ଭବ୍ୟ ସ୍ୱାଗତ

16

ଭୁବନେଶ୍ୱର: ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଗୁରୁବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ସମୟ ସୀମା ଅତିକ୍ରମ କରିବା ପରେ ରାଜ୍ୟସଭା ନିର୍ବାଚନର ରିଟର୍ଣ୍ଣିଂ ଅଫିସର ତାଙ୍କୁ ବିଧିବଦ୍ଧ ଭାବେ ବିଜେତା ଘୋଷଣା କରିବା ସହ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ରାଜ୍ୟର ଏହି ଏକମାତ୍ର ଖାଲିଥିବା ଆସନ ପାଇଁ କେବଳ ଦେବାଶିଷ ହିଁ ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚିତ ହେବା ପରେ ଶ୍ରୀ ସାମନ୍ତରାୟ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଦଳ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଦଳ ପକ୍ଷରୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସଂଗଠନ ମହାସଚିବ (ସଂପାଦକ) ମାନସ କୁମାର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟ ପୂର୍ବରୁ ବିଜେଡି ଟିକେଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତେବେ କିଛି ମାସ ତଳେ ସେ ବିଜେଡିରୁ ଇସ୍ତଫା ଦେବା ସହ ନିଜ ରାଜ୍ୟସଭା ସଦସ୍ୟ ପଦ ମଧ୍ୟ ଛାଡ଼ିଥିଲେ। ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ ଏବଂ ଦଳ ତାଙ୍କୁ ପୁଣିଥରେ ଏହି ଖାଲି ପଡ଼ିଥିବା ଆସନ ପାଇଁ ପ୍ରାର୍ଥୀ କରିଥିଲା।

Comments are closed, but trackbacks and pingbacks are open.