ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୂରାଜନୈତିକ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଶନିବାର କୁଏତ ଓ ବାହାରିନ ଉପରେ ଇରାନ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (Ballistic Missile) ଏବଂ ଡ୍ରୋନ୍ ଜରିଆରେ ଭୀଷଣ ଆକ୍ରମଣ କରିଛି। ଇରାନର ଏହି ଆକ୍ରମଣକୁ ଦୃଷ୍ଟିରେ ରଖି କୁଏତ ଓ ବାହାରିନ୍ ସରକାର ନିଜ ନିଜର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଛନ୍ତି। ବାହାରିନ୍ ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଇରାନ ପକ୍ଷରୁ ହୋଇଥିବା ଏହି ଆକ୍ରମଣକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସଫଳତାର ସହ ପ୍ରତିହତ କରିଛି, ଯାହାଫଳରେ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ। ଏଥିସହିତ ଇରାନ ତୁରନ୍ତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ ବନ୍ଦ କରୁ ବୋଲି ବାହାରିନ୍ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଏହି ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ପକ୍ଷରୁ ଗଣମାଧ୍ୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଥିଲା। ହର୍ମୁଜ ଜଳପଥ (Strait of Hormuz) ଉପରେ ଆକ୍ରମଣ ପାଇଁ ଇରାନ ତରଫରୁ ଉଦ୍ୟମ କରାଯାଇଥିବା ବେଳେ ଆମେରିକୀୟ ସେନା ତାହାକୁ ବିଫଳ କରିଦେଇଥିଲେ। ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ମଧ୍ୟ ଇରାନ ପକ୍ଷରୁ କୁଏତ ଓ ବାହାରିନ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ତେବେ ସେଗୁଡ଼ିକୁ ମଝି ଆକାଶରେ ହିଁ ନଷ୍ଟ କରି ଦିଆଯାଇଥିବା ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି।
Comments are closed, but trackbacks and pingbacks are open.