ଭୁବନେଶ୍ବର: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଜଗମୋହନ ଗର୍ଭଗୃହରୁ ଖୁବଶୀଘ୍ର ବାଲି କଢାଯିବ। ବାଲି କଢା ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ଡିଜି ୱାଇ.ଏସ. ରାୱତ କୋଣାର୍କ ପରିଦର୍ଶନ କରିଛନ୍ତି । ଡିଜି ରାୱତଙ୍କ ସହ ବୈଷୟିକ ଟିମ, ସୂର୍ଯ୍ୟମନ୍ଦିର କୋର କମିଟିର ସଦସ୍ୟ, ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ମାଡ୍ରାସର ପ୍ରଫେସର ତଥା ଏଏସଆଇର ବରିଷ୍ଠ ଇଂଜିନିୟରମାନେ ମନ୍ଦିର ପରିଦର୍ଶନ କରିଥିଲେ । ଟିମ ଗର୍ଭଗୃହ ମଧ୍ୟକୁ ହୋଇଥିବା ଦୁଇଟି କୋର ଡ୍ରିଲ ସ୍ଥାନକୁ ଯାଇ ଏହାର ସ୍ଥିତି ଯାଞ୍ଚ କରିଥିଲେ । ଅନୁଧ୍ୟାନ ପରେ ଏଏସଆଇ ଡିଜି ରାୱତ କହିଛନ୍ତି, ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ଏତେ ସହଜ ନୁହେଁ । ଏଥିପାଇଁ ସମୟ ଲାଗିବ। ବୈଷୟିକ ଟିମ ସମସ୍ତ ଦିଗକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ। ଗର୍ଭଗୃହର ସ୍ଥିତି ବର୍ତ୍ତମାନ ଠିକ୍ ଅଛି। ଧୀରେ ଧୀରେ ଏହି ପ୍ରକ୍ରିୟା ଆଗକୁ ବଢିବ। ଅନ୍ୟପକ୍ଷରେ ଗର୍ଭଗୃହକୁ ପାସେଜ ନିର୍ମାଣ ହେବାକୁ ଥିବା ସ୍ଥାନରେ ପଥରର ସ୍ଥିତି ଯାଞ୍ଚ କରାଯାଇଛି । ମନ୍ଦିର ଗର୍ଭଗୃହକୁ ସମାନ୍ତରାଳ ଭାବେ ୨୫ ଫୁଟ ଲମ୍ବର ଦୁଇଟି ଡ୍ରିଲ କରାଯାଇଛି ।ଆଇଆଇଟି ଦିଲ୍ଲୀର ପ୍ରଫେସର ଦୀପ୍ତି ରଞ୍ଜନ ସାହୁ କହିଛନ୍ତି, “ଆଇଆଇଟି ମାଡ୍ରାସ ଏହି ପ୍ରକ୍ରିୟାକୁ ଯାଞ୍ଚ କରୁଛି। ଗର୍ଭଗୃହ ଖନନ କାର୍ଯ୍ୟ ପାଇଁ ୱେଲ୍ଡର, ଷ୍ଟୋନ୍ ଡ୍ରେସର, ଷ୍ଟୋନ୍ କଟର ଓ ଆର୍କିଟେକ୍ଚରମାନଙ୍କୁ ନିୟୋଜିତ କରାଯାଇଛି।”ଉଲ୍ଲେଖଯୋଗ୍ୟ, ୧୯୦୩ମସିହାରେ ବ୍ରିଟିଶ ସରକାର ସୂର୍ଯ୍ୟମନ୍ଦିରର ଗର୍ଭଗୃହକୁ ସୁରକ୍ଷିତ ରଖିବା ପାଇଁ ବାଲି ଭର୍ତି କରିଥିଲେ। ଦୀର୍ଘ ବର୍ଷ ଧରି ବିଶେଷଜ୍ଞମାନେ ଗର୍ଭଗୃହରୁ ବାଲି କାଢି ସଂରକ୍ଷଣ କରିବାକୁ ମତ ଦେଇଆସୁଥିଲେ। ଏବେ ଏଏସଆଇ ଏହି ଦିଗରେ ବୈଜ୍ଞାନିକ ପଦ୍ଧତିରେ କାର୍ଯ୍ୟ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.