ଭୁବନେଶ୍ୱର, ୨୨ ।୫: ବିଶ୍ୱସ୍ତରୀୟ ସହଯୋଗ ଏବଂ ସେବା ଦିଗରେ କିଟ୍ ୟୁନାଇଟେଡ୍ ଭଲ୍ୟୁଣ୍ଟିୟରସ (ୟୁଏନ୍ଭି) ଓ ୟୁନାଇଟେଡ୍ ନେସନ୍ସ ସିଷ୍ଟମ ଷ୍ଟାଫ୍ କଲେଜ (ୟୁଏନ୍ଏସ୍ଏସ୍ସି) ମଧ୍ୟରେ ଦୁଇଟି ପୃଥକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଜର୍ମାନ ଗସ୍ତ ଅବସରରେ ବନ୍ଠାରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ଏହି ଅବସରରେ ୟୁଏନ୍ଭି ସହ ସ୍ୱତନ୍ତ୍ର ସ୍ୱେଚ୍ଛାସେବକ ସହଯୋଗ ସଂପର୍କରେ ଶ୍ରୀ ସାମନ୍ତ ଫଳପ୍ରଦ ଆଲୋଚନା କରିଥିଲେ । ଏହା ଦ୍ୱାରା କିଟ୍ର ଛାତ୍ରଛାତ୍ରୀମାନେ ସ୍ୱେଚ୍ଛାସେବା ମାଧ୍ୟମରେ ବିଶ୍ୱ ସମ୍ପର୍କରେ ଅଧିକ ଜାଣିବା, ସେବା କରିବା ଓ ବିଶ୍ୱ ସମ୍ପର୍କରେ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ । ଯୁବ ସ୍ୱେଚ୍ଛାସେବା ପାଇଁ ଜାତିସଂଘ ସହିତ ଏପରି ଏକ ପଥ ପ୍ରତିଷ୍ଠା କରିବାରେ କିଟ୍ ହେଉଛି ଦକ୍ଷିଣ ଏସିଆର ପ୍ରଥମ ବିଶ୍ୱବିଦ୍ୟାଳୟ ।
ଏହା ସହିତ ନେଲସନ୍ ମାଣ୍ଡେଲା ଗ୍ଲୋବାଲ୍ ଏକାଡେମୀ ଫର ସୋସିଆଲ୍ ଚେଞ୍ଜ ମାଧ୍ୟମରେ ୟୁଏନ୍ଏସ୍ଏସ୍ସି ସହିତ କିଟର ଅନ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହା କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ସାମାଜିକ ପରିବର୍ତ୍ତନ, ନେତୃତ୍ୱ, ଆଲୋଚନା ଏବଂ ସମାଜ ସେବା ବିଷୟରେ ଶିଖିବାର ସୁଯୋଗ ସୃଷ୍ଟି କରିବ ।
ଏଥିରେ ଖୁସି ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଲେ, ଶିକ୍ଷା କେବଳ ଜ୍ଞାନ ଆହରଣ ନୁହେଁ; ଏହା ହେଉଛି କରୁଣା, ଦାୟିତ୍ୱ ଏବଂ ମାନବତା ପ୍ରତି ସେବା । କିଟ୍ ସହ ଏଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରିଥିବାରୁ ଶ୍ରୀ ସାମନ୍ତ ୟୁଏନ୍ଭି ଓ ୟୁଏନ୍ଏସ୍ଏସ୍ସି କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ବୁଝାମଣାପତ୍ର କିଟ୍ ତଥା କିସ୍ ଛାତ୍ରଛାତ୍ରୀ ଏବଂ ଭାରତର ଯୁବଗୋଷ୍ଠୀଙ୍କ ପାଇଁ ବିଶ୍ୱସ୍ତରୀୟ ପ୍ଲାଟଫର୍ମରୁ ଶିଖିବା ଓ ସମାଜ ସେବା ପାଇଁ ନୂତନ ଦ୍ୱାର ଖୋଲିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଉଭୟ କାର୍ଯ୍ୟକ୍ରମରେ ୟୁଏନ୍ଏସ୍ଏସ୍ସିର ଡେପୁଟି ଡାଇରେକ୍ଟର ସିଲ୍କେ ୱେନ୍ଲିଚ ଓ ୟୁଏନ୍ଭି ପକ୍ଷରୁ ଡେପୁଟୀ ଏକଜିକ୍ୟୁଟି କୋଅର୍ଡିଟେର ଲାଉସ ଚାମ୍ବରଲେନ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।
Comments are closed, but trackbacks and pingbacks are open.