ଯାଜପୁର ମେଡିକାଲରେ ନବଜାତ ଶିଶୁ ମୃତ୍ୟୁ ନେଇ ଉତ୍ତେଜନା

26

ଭୁବନେଶ୍ବର: ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁର ମୃତ୍ୟୁକୁ କେନ୍ଦ୍ର କରି ଶୁକ୍ରବାର ଉତ୍ତେଜନା ଦେଖାଦେଇଛି। ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ମେଡିକାଲ ପରିସରରେ ହଙ୍ଗାମା କରିଛନ୍ତି। ସୂଚନା ଅନୁସାରେ, କୁମ୍ଭାରୀଆ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ପ୍ରସବ ବେଦନା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ମାତ୍ର ଜନ୍ମ ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଉନ୍ନତ ଚିକିତ୍ସା ପାଇଁ ଡାକ୍ତର ତାକୁ କଟକ ସ୍ଥାନାନ୍ତର କରିଥିଲେ। ତେବେ କଟକରେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶିଶୁର ମୃତ୍ୟୁ ପରେ ପରିବାର ଲୋକେ ମୃତଦେହ ଧରି ପୁଣି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଫେରିବା ସହ ତୀବ୍ର ପ୍ରତିବାଦ କରିଛନ୍ତି। ଶିଶୁର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲେ ବି କାହିଁକି ତାକୁ ତୁରନ୍ତ କଟକ ପଠାଗଲା ଏବଂ ସ୍ଥାନୀୟ ମେଡିକାଲରେ ଚିକିତ୍ସାରେ କେଉଁଠି ତ୍ରୁଟି ରହିଲା, ତାର ତଦନ୍ତ ଦାବି କରିଛନ୍ତି ପରିବାର। ଏଥିସହ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଅଡ଼ି ବସିଛନ୍ତି।

Comments are closed, but trackbacks and pingbacks are open.