ମହିଳା ସଂରକ୍ଷଣ ବିଲକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛି ବିଜେପି: ବିଜେଡି

34

ଭୁବନେଶ୍ୱର: ୨୦୨୩ ମସିହାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମରେ ମହିଳା ସଂରକ୍ଷଣ ବିଲ ସଂସଦର ଉଭୟ ଗୃହରେ ପାରିତ ହେବା ସହିତ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲେ ମଧ୍ୟ ଏହାକୁ ୨୦୨୪ ନିର୍ବାଚନରେ ଲାଗୁ କରି ନଥିବା ବିଜେପି ଏବେ ବିରୋଧୀଙ୍କ ଅସହଯୋଗ ଯୋଗୁ ମହିଳା ସଂରକ୍ଷଣ ବିଲ ପାରିତ ହେଲା ନାହିଁ ବୋଲି ମିଛ ଅଭିଯୋଗ କରି ବିଜେପି ଯେଉଁ ଜନଆକ୍ରୋଶ ରାଲି ନାମରେ ଦେଶରେ ନାଟକ କରୁଛି । ମହିଳା ମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଥିବା ବିଜେପି ସେହି ମହିଳା ମାନଙ୍କୁ ବ୍ୟବହାର କରି ତାଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି ବୋଲି ବିଜେଡି ଅଭିଯୋଗ କରୁଛି । ସୁଲତା ଦେଓ କହିଥିଲେ, ଦେଶର ସମସ୍ତ ରାଜନୈତିକ ଦଳର ସମର୍ଥନରେ ୨୦୨୩ ମସିହାରେ, ଦେଶର ସଂସଦ ଓ ବିଧାନସଭାରେ ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବା ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହୋଇଥିଲା । ସମସ୍ତେ ଆଶା କରିଥିଲେ, ଏହାକୁ ତୁରନ୍ତ ୨୦୨୪ ସାଧାରଣ ନିର୍ବାଚନରେ ଲାଗୁ କରାଯିବ । କିନ୍ତୁ, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏହାକୁ ଲାଗୁ କରି ନଥିଲା । ୨୦୨୬ ମସିହାରେ ଜନ ଗଣନା ହେବାକୁ ଯାଉ ଥିବାରୁ ଏହି ଜନ ଗଣନା ଆଧାରରେ ସଂସଦ ଓ ବିଧାନସଭା ଆସନ ଗୁଡିକର ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ ଏହାକୁ ଲାଗୁ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା । କିନ୍ତୁ, ଦେଶର ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଥିବା ସମୟରେ ହଠାତ ସଂସଦର ବିଶେଷ ଅଧିବେଶନ ଡାକି ମହିଳା ସଂରକ୍ଷଣ ସହିତ ୨୦୧୧ ଜନଗଣନା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣକୁ ପାରିତ କରାଯିବାକୁ ଉଦ୍ୟମ କରାଗଲା ।
ଡ. ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ୨୦୨୩ ମସିହାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା ପରେ, ୨୦୨୪ ନିର୍ବାଚନରେ ଲାଗୁ କରିବା ନେଇ ବିଜେପି ଦ୍ୱାରା ଏକ ବାହାନାବାଜି ମାଧ୍ୟମରେ ଏହାକୁ ଟାଳି ଦିଆଯାଇଥିଲା । ଏହାଛଡା, ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ତରଫରୁ ମହିଳା ମାନଙ୍କୁ ପ୍ରାର୍ଥୀ କରିବା କ୍ଷେତ୍ରରେ ଆଦୌ ଅଗ୍ରାଧିକାର ଦିଆଯାଇନଥିଲା । ଅପରପକ୍ଷରେ ବିଜୁ ଜନତା ଦଳ ତରଫରୁ ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ୩୩ ପ୍ରତିଶତ ସଂସଦୀୟ କ୍ଷେତ୍ରରେ ମହିଳା ପ୍ରାର୍ଥୀ ଦେଇଥିଲେ । ୨୦୧୯ ନିର୍ବାଚନରେ ମଧ୍ୟ ବିଜେଡି ୩୩ ପ୍ରତିଶତ ସଂସଦୀୟ କ୍ଷେତ୍ରରେ ମହିଳା ପ୍ରାର୍ଥୀ ଦେଇଥିଲା । ଏଥିରୁ, ମହିଳା ସଂରକ୍ଷଣ ବିଲ ବା ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଜୁ ଜନତା ଦଳ ସର୍ବାଗ୍ରେ ରହିଛି । ୧୯୯୨ ମସିହାରେ, ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଓ ଅର୍ବାନ ଲୋକାଲ ବଡି ଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ । ବିଜୁ ବାବୁଙ୍କ ସୁପୁତ୍ର ନବୀନ ବାବୁ ଏହି ସଂରକ୍ଷଣକୁ ୫୦ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହାଛଡା, ୨୦୧୮ ମସିହାରେ, ମହିଳା ମାନଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରଦାନ କରିବା ପାଇଁ ଓଡିଶା ବିଧାନସଭାରେ ଏକ ସଙ୍କଳ୍ପ ପାରିତ କରାଇବା ସହିତ ଦେଶର ୨୨ଟି ରାଜନୈତିକ ଦଳକୁ ବିଜେଡିର ବରିଷ୍ଠ ପ୍ରତିନିଧିମଣ୍ଡଳୀ ଭେଟି ଏହା ସପକ୍ଷରେ ମତ ଦେବାକୁ ପ୍ରବର୍ତ୍ତାଇ ଥିଲେ । ନିସନେ୍ଦହରେ, ମହିଳା ସଂରକ୍ଷଣ କ୍ଷେତ୍ରରେ ବିଜୁ ଜନତା ଦଳ ଓ ଏହାର ସଭାପତି ନବୀନ ପଟ୍ଟନାୟକଙ୍କ ଭୂମିକା ସର୍ବାଗ୍ରେ ରହିଛି । କିନ୍ତୁ, ବିଜେପି ମିଛ ପ୍ରଚାର କରି ରାଜ୍ୟ ତଥା ଦେଶବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି । ବାସ୍ତବରେ, ବିଜେପି ହେଉଛି ମହିଳା ବିରୋଧୀ ଓ ବିଜେପି ଦଳରେ ମହିଳାଙ୍କୁ କେବେ ନ୍ୟାୟ ମିଳେନାହିଁ ।

Comments are closed, but trackbacks and pingbacks are open.