ବାତ୍ୟା ମୁକାବିଲା: ୫ ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା, ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ

23

ଭୁବନେଶ୍ୱର: ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ସାମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’। ଆସନ୍ତା ୨୮ ତାରିଖ ଅପରାହ୍ଣରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଏହାଦ୍ୱାରା ଅଧିକ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି। ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହିତ ପବନର ବେଗ ଅଧିକ ରହିବ। ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ଆଖି ଆଗରେ ରଖି ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାରେ ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ପାଇଁ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକର ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲ୍ଲାପାଳମାନେ ଆବଶ୍ୟକୀୟ ନିଷ୍ପତ୍ତି ନେବେ। ତଥାପି, ଏହି ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି ଯେ, ‘ଜିରୋ କାଜୁଆଲିଟି’ (ଶୂନ୍ୟ ଜୀବନହାନି) ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇ ପ୍ରଥମେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ। ବିଶେଷକରି ରୋଗୀ, ବରିଷ୍ଠ ନାଗରିକ ଏବଂ ଗର୍ଭବତୀ ମହିଳାମାନଙ୍କୁ ସ୍ଥାନାନ୍ତରିତ କରିବା କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।ଅନ୍ୟପକ୍ଷେ, ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଓଡ୍ରାଫ୍ (ODRAF), ଏନ୍‌ଡିଆର୍‌ଏଫ୍ (NDRF) ଏବଂ ଅଗ୍ନିଶମ ବାହିନୀକୁ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯାଇଛି। ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ପୂର୍ବରୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି, ସେମାନଙ୍କୁ ତୁରନ୍ତ ତଟକୁ ଫେରିଆସିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Comments are closed, but trackbacks and pingbacks are open.