LPG ସଂକଟରୁ ମିଳିବ ମୁକ୍ତି; ପିଡିଏସ୍ କିରୋସିନ୍ ଆବଣ୍ଟନ କଲେ କେନ୍ଦ୍ର ସରକାର

89

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ରନ୍ଧନ ଗ୍ୟାସ୍ (LPG) ସଙ୍କଟର ସମାଧାନ ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ୟାସ୍ ଯୋଗାଣ ଉପରେ ଚାପ କମାଇବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଜରିଆରେ କିରୋସିନ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ଜରୁରୀକାଳୀନ ବ୍ୟବସ୍ଥା ଆଗାମୀ ୬୦ ଦିନ ପାଇଁ ଲାଗୁ ରହିବ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ରୋଷେଇ ଏବଂ ଆଲୋକ ଆବଶ୍ୟକତା ପାଇଁ ଗ୍ରାହକମାନେ ଏହି କିରୋସିନ ବ୍ୟବହାର କରିପାରିବେ। ବିଶେଷ କରି ପୂର୍ବରୁ ‘PDS କିରୋସିନ ମୁକ୍ତ’ ଘୋଷିତ ହୋଇଥିବା ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସେବାକୁ ଅସ୍ଥାୟୀ ଭାବେ ପୁନଃପ୍ରଚଳନ କରାଯାଉଛି। ଫଳରେ LPG ସଙ୍କଟ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା ପରିବାରଗୁଡ଼ିକ ସାମୟିକ ଭାବେ ଆଶ୍ୱସ୍ତି ପାଇପାରିବେ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଅଞ୍ଚଳଗୁଡ଼ିକରେ କିରୋସିନ ଯୋଗାଣ ପର୍ଯ୍ୟାୟକ୍ରମେ ବନ୍ଦ କରାଯାଇଥିଲା, ସେଠାରେ ପୁନର୍ବାର ‘ସୁପିରିୟର କିରୋସିନ ତେଲ’ (SKO) ଆବଣ୍ଟନ କରିବାକୁ ଅନୁମତି ମିଳିଛି।

Comments are closed, but trackbacks and pingbacks are open.