ଭୁବନେଶ୍ୱର: ରାମନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳିଚାଳନାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ସର୍ବସାଧାରଣରେ ବିଧାୟକଙ୍କ ଏଭଳି ଆଚରଣକୁ ନେଇ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ଅନ୍ୟପଟେ, ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ ବିଭାଗ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ (PSO)ଙ୍କୁ ରିପୋର୍ଟ ତଲବ କରିଛି। ବିଜେଡି ପକ୍ଷରୁ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଏବଂ ମୁଖପାତ୍ର ଡ. ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେମାନେ କହିଛନ୍ତି ଯେ, ଶାସକ ଦଳର ବିଧାୟକ ହୋଇ ନବୀନ ଜୈନ ଯେଭଳି ଭାବେ ଆଇନର ଉଲ୍ଲଂଘନ କରିଛନ୍ତି, ତାହା ‘ଡବଲ ଇଞ୍ଜିନ’ ସରକାରରେ ବିଜେପି ନେତାଙ୍କ ଔଦ୍ଧତ୍ୟ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଚିତ୍ରକୁ ଦର୍ଶାଉଛି। ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ମାରଣାସ୍ତ୍ରର ବ୍ୟବହାର ଓ ଗୁଳି ଚାଳନା କରି ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବାରୁ ବିଧାୟକଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି। ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
Comments are closed, but trackbacks and pingbacks are open.