୫୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ମାଓନେତା ଶୁକ୍ରୁ ସମେତ ୫ ନକ୍ସଲଙ୍କ ଆତ୍ମସମର୍ପଣ

233

ଭୁବନେଶ୍ୱର: ରାଜ୍ୟକୁ ମାଓମୁକ୍ତ କରିବା ପାଇଁ ଧାର୍ଯ୍ୟ ସମୟ ସୀମା ପାଖେଇ ଆସୁଥିବା ବେଳେ ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ମୋଷ୍ଟ ୱାଣ୍ଟେଡ୍‌ ମାଓନେତା ଶୁକ୍ରୁ ନିଜର ୪ ସହଯୋଗୀଙ୍କ ସହ କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଶୁକ୍ରୁ ନିକଟରୁ ଏକ ଏକେ-୪୭ (AK-47) ରାଇଫଲ୍ ମଧ୍ୟ ଜବତ କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ମାଓ ସଂଗଠନର ରାଜ୍ୟ କମିଟି ସଦସ୍ୟ ଥିବା ଶୁକ୍ରୁର ମୁଣ୍ଡ ପାଇଁ ପୋଲିସ ପକ୍ଷରୁ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଦୀର୍ଘ ଦିନ ଧରି ପୋଲିସ ତାକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଶେଷରେ ସେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଛି। କନ୍ଧମାଳ ଅଞ୍ଚଳରେ ଶୁକ୍ରୁ ବେଶ୍ ସକ୍ରିୟ ଥିଲା ଏବଂ ସେଠାରେ ‘ଏଇଟ୍‌ଥ କମ୍ପାନୀ’ ନାମକ ଏକ ନୂତନ ସଂଗଠନ ମଧ୍ୟ ପରିଚାଳନା କରୁଥିଲା। ପୋଲିସ ପକ୍ଷରୁ ବାରମ୍ବାର ଆତ୍ମସମର୍ପଣ ପାଇଁ କରାଯାଇଥିବା ଆହ୍ୱାନର ସୁଫଳ ମିଳିଛି। ଶୁକ୍ରୁର ଆତ୍ମସମର୍ପଣ ପରେ ବର୍ତ୍ତମାନ ମାଓ ସଂଗଠନରେ ଓଡ଼ିଶାର ଆଉ କୌଣସି ପ୍ରମୁଖ ଶୀର୍ଷସ୍ତରୀୟ ନେତା ନାହାନ୍ତି ବୋଲି ଜଣାପଡ଼ିଛି।

Comments are closed, but trackbacks and pingbacks are open.