ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ରହିଥିବା ସଂଘର୍ଷ ଏବଂ ଭାରତ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର ଆସନ୍ତା ବୁଧବାର ଏକ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି। ତେବେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କେରଳରେ ଏକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିବାରୁ ସେ ଏଥିରେ ଅନୁପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି।
ବୈଠକରେ ଅନୁପସ୍ଥିତ ରହିବା ସହ ସେ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ, “ସର୍ବଦଳୀୟ ବୈଠକ ହେବା ନିଶ୍ଚିତ ଭାବେ ଉଚିତ ଥିଲା, କିନ୍ତୁ ସରକାର ଏହାର ସାଂରଚନିକ ଢାଞ୍ଚାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛନ୍ତି। ଏଭଳି ଭୁଲକୁ ସଜାଡ଼ିବା ପାଇଁ ବହୁତ ସମୟ ଲାଗିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କରିପାରିବେ ନାହିଁ।” ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଭାରତର ନିଜସ୍ୱ ନିଷ୍ପତ୍ତି ନେବା କ୍ଷମତା ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକା ଏବଂ ଇସ୍ରାଏଲ ଯାହା ନିର୍ଦ୍ଦେଶ ଦେବେ, ସେ ତାହାହିଁ କରିବେ। ସୂଚନାଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏଥିରେ ଭାରତର ଆଭିମୁଖ୍ୟକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବେ ପ୍ରଶ୍ନ ଉଠାଇ ଆସୁଛନ୍ତି।
Comments are closed, but trackbacks and pingbacks are open.