ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୧.୩୩%କୁ ବୃଦ୍ଧି

125

ନୂଆଦିଲ୍ଲୀ: ବର୍ଷ ୨୦୨୫ର ଅନ୍ତିମ ମାସ ଅର୍ଥାତ୍ ଡିସେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ପୂର୍ବ ମାସ ତୁଳନାରେ ୧.୩୩%କୁ ବୃଦ୍ଧି ପାଇଛି, ଯାହା ଗତ ତିନି ମାସ ମଧ୍ୟରେ ସର୍ବୋଚ୍ଚ ହାର। ପୂର୍ବରୁ, ନଭେମ୍ବରରେ ଏହା ୦.୭୧% ଏବଂ ଅକ୍ଟୋବରରେ ଏହା ୦.୨୫% ଥିଲା, ଯାହା ୧୪ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ବୋଲି ବିବେଚନା କରାଯାଇଥିଲା। ଯେତେବେଳେ କି ଗତ ସେପ୍ଟେମ୍ବରରେ ଏହା ୧.୪୪% ଥିଲା। ତେବେ ଡାଲି, ପନିପରିବା, ମାଂସ, ମାଛ, ଅଣ୍ଡା ଏବଂ ବିଦ୍ୟୁତ୍ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଚାହିଦା ଆଧାରରେ ବର୍ଦ୍ଧିତ ମୂଲ୍ୟ ଯୋଗୁଁ ଡିସେମ୍ବରରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାସିକ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ଏଥିରେ ଖାଦ୍ୟ ପଦାର୍ଥର ଦର ହ୍ରାସ ପ୍ରକ୍ରିୟା ମନ୍ଥର ହେବା କାରଣରୁ ମୁଦ୍ରାସ୍ଫୀତିରେ ଏହି ବୃଦ୍ଧି ଘଟିଥିବା ଦର୍ଶାଯାଇଛି। ସେହିପରି ଗତ ନଭେମ୍ବରରେ ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୦.୧୦% ରୁ ୦.୭୬%କୁ ବୃଦ୍ଧି ପାଇଥିବା ବେଳେ ସହରାଞ୍ଚଳ ମୁଦ୍ରାସ୍ଫୀତି ୧.୪୦% ରୁ ୨.୦୩% କୁ ବୃଦ୍ଧି ପାଇଥିବା ଦର୍ଶାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିବାରୁ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗତ ମାସରେ ସୁଧ ହାରରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା। ଚଳିତ ଆର୍ôଥକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୪% ରହିବ ବୋଲି ଅନୁମାନ କରାଯାଉଛି। 

Comments are closed, but trackbacks and pingbacks are open.