ତମାଣ୍ଡୋଠାରେ ଅତ୍ୟାଧୁନିକ ଇନଡୋର ସୁଇମିଂ ପୁଲ୍ ଉଦ୍ଘାଟିତ
ଫୁଟବଲ୍ ପଡ଼ିଆ ଓ ସିନ୍ଥେଟିକ ଟ୍ରାକ୍ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡ଼ା ମନ୍ତ୍ରୀ
ଭୁବନେଶ୍ୱର : ଭୁବନେଶ୍ୱର ତମାଣ୍ଡୋ ସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (GCPE) ପରିସରରେ ଆଜି ଏକ ନୂତନ ୨୫ ମିଟର ବିଶିଷ୍ଟ ଇନଡୋର ସୁଇମିଂପୁଲର ଶୁଭ ଉଦଘାଟନ ହୋଇଯାଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ପୁଲ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (OBCC) ଦ୍ୱାରା ପ୍ରାୟ ୧୧.୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହି କାର୍ଯ୍ୟକ୍ରମରେ , ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ ସ୍ୱାଇଁ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀ ପ୍ରତାପ ବେହୁରା, ଉପ-ସଚିବ ଡ. ସ୍ୱରୂପାନନ୍ଦ ସାହୁ, ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ (DSO) ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା, GCPE ଅଧ୍ୟକ୍ଷ ଶ୍ରୀ ସୁରେଶ ମହାପାତ୍ର ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ବୃନ୍ଦ ତଥା OBCCର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ସନ୍ତରଣରେ ଦେଶ ପାଇଁ ସର୍ବାଧିକ ପଦକ ଜିତିବାର ସୁଯୋଗ ରହିଛି। ଏଣୁ ରାଜ୍ୟ ସରକାର ଆଗାମୀ ଦିନରେ ୧୩ଟି ଜିଲ୍ଲାରେ ସୁଇମିଂ ପୁଲ୍ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ମହୋଦୟ ଓଡ଼ିଶା ରାଜ୍ୟ ପୋଲିସ ହାଉସିଂ କର୍ପୋରେସନ ଦ୍ୱାରା ନିର୍ମାଣାଧୀନ ଫୁଟବଲ୍ ପଡ଼ିଆ ଓ ସିନ୍ଥେଟିକ ଆଥଲେଟିକ ଟ୍ରାକ୍ର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ମନ୍ତ୍ରୀ ଶ୍ରୀ ସୂରଜ ଉପସ୍ଥିତ ସମସ୍ତ କ୍ରୀଡ଼ା ପ୍ରତିଭାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଅର୍ଜନ କରିବା ନିମନ୍ତେ କ୍ରୀଡ଼ାବିତମାନଙ୍କୁ ପ୍ରେରିତ କରିଥିଲେ।
Comments are closed, but trackbacks and pingbacks are open.