ଭୁବନେଶ୍ବର: ଆଜି ହେଉଛି କାଞ୍ଜିଅଁଳା ନବମୀ। ପ୍ରଥମାଷ୍ଟମୀ ପରେ ପଡେ ଏହି କାଞ୍ଜିଅଁଳା ନବମୀ। ଏହି ପୂଜାର ବିଶେଷତ୍ବ ହେଲା ଯେ, ଏଥିରେ ଏକ ପିତାଶୁଖୁଆଙ୍କୁ ପୂଜା କରାଯାଏ। ସତକଥା, ଏହି ପୂଜାର ବିଧୀ ରହିଛି ଏହିପରି। ଏହି ନବମୀରେ ମହିଳାମାନେ ଏକ ପିତାଶୁଖୁଆଙ୍କୁ ହଳଦୀ କନା ଗୁଡାଇ ସିନ୍ଦୁର ଲଗାଇ ପୂଜା କରିଥାନ୍ତି। ଏହାକୁ ବୋହୂଭାବରେ ଶାଶୂମାନେ ପୂଜା କରନ୍ତି। ତେବେ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ପୂର୍ବକାଳରେ ଝିଅ ଅପେକ୍ଷା ପୁଅଙ୍କ ସଂଖ୍ୟା ଅଧିକ ଥିଲା। ପୁଅ ବିବାହ ଯୋଗ୍ୟ ହେବା ପରେ ତା ପାଇଁ କନ୍ୟା ମିଳିବା କଷ୍ଟକର ଥିଲା। ଫଳରେ ବିଶ୍ବାସ ରହିଛି କାଞ୍ଜିଅଁଳା ଦିନ ଶୁଖୁଆକୁ ପାଟ ଲୁଗା ପିନ୍ଧାଇ ବୋହୂ କରି ପୂଜା କଲେ ଘରକୁ ସତସତିକା ବୋହୂ ଆସିଥାଏ। ଏହି ବିଶ୍ବାସ ପାଇଁ ବହୁ କାଳରୁ କାଞ୍ଚିଅଁଳାରେ ଶୁଖୁଆ ପୂଜା ପ୍ରଚଳିତ ଅଛି। ଏହିଦିନ କାଞ୍ଜି ଭୋଗ ମଧ୍ୟ କରାଯାଇଥାଏ। ସେତିକି ନୁହେଁ ଏହିସମୟରେ ଏକ ଧାନ କେଣ୍ଡା ବିଲରୁ ଉପାଡି ଅଣାଯାଏ। ତାହାକୁ ଖଳାରେ ରଖାଯାଇ ଧାନକେଣ୍ଡାର ଅଳ୍ପ ଦୂରରେ ଚାରିପଟେ ଗାତ ଖୋଳାଯାଏ। ସେହି ଗାତରେ ପାଣିଢାଳି ତା ଭିତରେ ବିଲରୁ ଧରାହୋଇଥିବା ଚେଙ୍ଗ ମାଛ ଜିଅନ୍ତା ଛଡାଯାଏ। ଏହାପରେ ସେଠାରେ ଭାତ, କାଞ୍ଜି, ଶୁଖୁଆ ବୋହୁଙ୍କୁ ପୂଜା କରାଯାଇଥାଏ। କାଞ୍ଜିଅଁଳା ହେଉଛି ଏପରି ଏକ ଦିନ ଯେଉଁଠି ଶାଶୂ ବୋହୂକୁ ପୂଜା କରିବା ସହିତ ମୁଣ୍ଡିଆ ମାରିଥାଏ। ତେବେ ଆୟୁର୍ବେଦ ମତରେ ଏହି ସମୟରେ ଶୀତ ଆସୁଥିବାରୁ କାଞ୍ଜି ଦେହପାଇଁ ବେଶ ଉପକାରୀ। ଏପରିକି ହଳଦୀପତ୍ର ପିଠା ମଧ୍ୟ ହଜମ ଶକ୍ତିକୁ ବୃଦ୍ଧି କରିଥାଏ। ସେଥିପାଇଁ ଏହି ସମୟରେ ଋତୁକୁ ଲକ୍ଷ୍ୟ କରି ଭୋଗ ପ୍ରସ୍ତୁତ ହୋଇଥାଏ।
Comments are closed, but trackbacks and pingbacks are open.