ନବୀନ ପଟ୍ଟନାୟକ @୭୬ : ଅପ୍ରତିଦ୍ୱନ୍ଦୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

64

ଅକ୍ଟୋବର ମାସର ବାତ୍ୟାକୁ ଓଡ଼ିଶାବାସୀ କେବେ ବି ଭୁଲିପାରିବେ ନାହିଁ ।  ୧୯୯୯ ଅକ୍ଟୋବରରେ ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିଲା ମହାବାତ୍ୟା । ବଦଳିଯାଇଥିଲା ଉପକୂଳ ଓଡ଼ିଶାର ଭୌଗଳିକ ସ୍ଥିତି । ୧୯୯୯ ମହାବାତ୍ୟା ଯେଉଁ ପଦଚିହ୍ନ ଛାଡି ଯାଇଥିଲା ତାହାକୁ ଭୁଲିବା ଏତେ ସହଜ ନଥିଲା । ଆଉ ଏହାପରେ ଅକ୍ଟୋବର ମାସ ଆସିଲେ ଲୋକଙ୍କ ମନରେ ଛନକା ପଶୁଥିଲା, କାଳେ ପୁଣିଥରେ ସେମିତି ଏକ ମହାବାତ୍ୟା ମାଡରେ ଭାଙ୍ଗିଯିବନି ତ ଓଡ଼ିଶାର ମେରୁଦଣ୍ଡ । କିନ୍ତୁ ରାଜ୍ୟବାସୀଙ୍କ ମନରୁ ଏହି ଭୟ ଭାବନାକୁ ଦୂରେଇବା ସହ ଗତ ୨୧ ବର୍ଷ ହେବ ବିପର୍ଯ୍ୟୟ ମୁକାବିଲା ପାଇଁ ଲୋକଙ୍କ ମନରେ ସାହସ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ସଂଯୋଗ ଦେଖନ୍ତୁ ନବୀନଙ୍କ ଜନ୍ମ ମଧ୍ୟ ସେହି ଅକ୍ଟୋବର ମାସରେ । ବିପର୍ଯ୍ୟୟ ମୁକାବିଲାର ବିନ୍ଧାଣୀ ଭାବେ ଏବେ ସାରା ବିଶ୍ୱକୁ ବାଟ ଦେଖାଉଛନ୍ତି ନବୀନ । ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ଯେଉଁ ଫର୍ମୁଲା ଆପଣାଉଛି, ତାହାକୁ ପୂରା ଦେଶ ଓ ବିଶ୍ୱ ଅନୁକରଣ କରିବାକୁ ଆଗେଇ ଆସୁଛି ।  ଜିରୋ କାଜୁଆଲିଟି ସହ ଧନଜୀବନ ରକ୍ଷା,  ନବୀନଙ୍କ ବିପର୍ଯ୍ୟୟ ପରିଚାଳନାର ସବୁଠୁ ବଡ ଦିଗ । ଯେଉଁଥିପାଇଁ ଗତ ଦୁଇ ଦଶନ୍ଧି ମଧ୍ୟରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଓଡ଼ିଶା ଉପରେ ସେତେଟା ପଡିନାହିଁ । ସେ ଫୋନି ହେଉ କି ଅମ୍ଫାନ, ୟାସ ହେଉ କି ଗୁଲାବ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ମାଷ୍ଟରପ୍ଲାନର ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ତ ଅନ୍ୟ କେଉଁ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ମାଡି ଆସିଲେ ନବୀନଙ୍କ ମଡେଲ ଖୋଜାପଡେ । 

୨୦୧୯ : ବାତ୍ୟା ଫୋନି

ଓଡ଼ିଶାରେ ସାଧାରଣ ନିର୍ବାଚନ ସରିଥାଏ, ଫଳାଫଳକୁ ଅପେକ୍ଷା କରିଥାନ୍ତି ରାଜ୍ୟବାସୀ । କିନ୍ତୁ ଏଭଳି ସମୟରେ ଓଡ଼ିଶାରେ ମାଡ ହୋଇଥିଲା ବାତ୍ୟା ଫୋନି । ପୁରୀ ବାଲୁଖଣ୍ଡ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ଏହାର ବିଭୀଷିକା ଦେଖିଥିଲା ଓଡ଼ିଶା ସମେତ ପୂରା ଦେଶ । ଗଛ ଗୁଡିକ ଭାଙ୍ଗି ତଳେ ପଡିଥିଲା, ଚାଳ ଘର ଛପର ଆକାଶରେ ପତ୍ର ଭଳି ଉଡୁଥିଲା । ରାଜଧାନୀ ଭୁବନେଶ୍ୱରର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥିଲା ।  କିନ୍ତୁ ପ୍ରଳୟଙ୍କାରୀ ବାତ୍ୟାର ମୁକାବିଲା ଯେଉଁ ଢଙ୍ଗରେ ହୋଇଥିଲା ସେଥିପାଇଁ ଅନେକ ଜୀବନ ବଞ୍ଚି ଯାଇଥିଲା । ଆଉ ଏହି ମହାସଙ୍କଟକୁ ମାତ୍ ଦେବା ପଛର ନାୟକ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆଡକୁ ମହାସଙ୍କଟ ସାଜି ବାତ୍ୟା ମାଡି ଆସୁଥିବାର ଆଭାସ ମିଳିବା ମାତ୍ରେ ସତର୍କ ହୋଇ ଉଠିଥିଲେ ନବୀନ । ଆରମ୍ଭ ହୋଇଥିଲା ବାତ୍ୟା ମୁକାବିଲା ପାଇଁ ଅପରେସନ । ନିଜେ ନବୀନ କଣ୍ଟ୍ରୋଲ ରୁମରେ ପହଞ୍ଚି ବାତ୍ୟା ମୁକାବିଲାର ସମୀକ୍ଷା କରିଥିଲେ । ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଲା ପ୍ରସ୍ତୁତି ।  ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବା ଠାରୁ ଆରମ୍ଭ କରି ପୁଣିଥରେ ଅଣ୍ଟାସଳଖି ଛିଡା ହେବା ପର୍ଯ୍ୟନ୍ତ ନବୀନଙ୍କ କାର୍ଯ୍ୟଶୈଳୀକୁ ପୂରା ଦେଶ ପ୍ରଂଶସା କରିଥିଲା ।  କାରଣ ଫୋନି ଯିବା ପରେ ଯେଉଁ ଚିହ୍ନ ଛାଡିଥିଲା ତାହା ବର୍ଣ୍ଣନା କରୁଥିଲା ଯେ, ଯଦି ନବୀନ ସଠିକ୍ ସମୟରେ ସଠିକ୍ ନିଷ୍ପତି ନେଇନଥାନ୍ତେ ତେବେ ସ୍ଥିତି କଣ ହୋଇଥାନ୍ତା?

୨୦୨୦ : ବାତ୍ୟା ଅମ୍ଫାନ

ସେହି ସମାନ ମାସ । ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିକୁ ପ୍ରଥମ ବର୍ଷ ପୂରିବାକୁ ଯାଉଥାଏ । ଆଉ ଏହାସହ ମହାମାରୀ କରୋନା ମଧ୍ୟ ଓଡ଼ିଶାରେ କାୟା ବିସ୍ତାର କରୁଥାଏ । ଆଉ ଏଭଳି ସମୟରେ ପୁଣିଥରେ ଓଡ଼ିଶା ଉପକୂଳ ମୁହାଁ ହୋଇଥିଲା ବାତ୍ୟା ଅମ୍ପାନ । ବାତ୍ୟାର ନାଁ ଶୁଣି ଲୋକଙ୍କ ମନରେ ଭୟ ବଢୁଥିଲା, ଚିନ୍ତା ଘାରୁଥିଲା । କାରଣ ଗୋଟିଏ ବର୍ଷ ପୂର୍ବରୁ ପ୍ରଳୟଙ୍କାରୀ ଫୋନିର କରାଳ ରୂପ ଦେଖିଥିଲେ ରାଜ୍ୟବାସୀ । ତେଣୁ ପୁଣିଥରେ ସେଭଳି ଏକ ବାତ୍ୟାକୁ ସାମ୍ନା କରିବାକୁ ସାହସ ଜୁଟାଇବା ଏତେଟା ସହଜ ନଥିଲା । କିନ୍ତୁ ଏଭଳି ସମୟରେ ପୁଣିଥରେ ସଙ୍କଟମୋଚକ ସାଜି ଉଭା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ମନରେ ସାହସ ଭରିଥିଲେ, ଜିରୋ କାଜୁଆଲିଟିର ମନ୍ତ୍ର ସହ ଆରମ୍ଭ କରିଥିଲେ ବାତ୍ୟା ମୁକାବିଲାର ପ୍ରସ୍ତୁତି । ବାତ୍ୟା ଲ୍ୟାଣ୍ଡଫଲ କରି ପୁଣିଥରେ ଫୋନି ଭଳି ବିଭୀଷିକା ରଚିବା ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିଥିଲା ପ୍ରଶାସନ । ପ୍ରଭାବିତ ହେବାକୁ ଥିଲା ଜିଲ୍ଲା ଗୁଡିକରେ ଜାରି କରାଯାଇଥିଲା ଆଲର୍ଟ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ପୂରା ଆଲର୍ଟ ମୋଡରେ ରଖାଯାଇଥିଲା । ଅମ୍ପାନ ଆଖି ଦେଖାଇ କୂଳ ଆଡକୁ ମାଡି ଆସୁଥିବା ବେଳେ ନବୀନ ସୃଷ୍ଟି କରି ସାରିଥିଲେ ସୁରକ୍ଷାକବଚ । ତେବେ ଏଭଳି ପ୍ରସ୍ତୁତି ଭିତରେ ବାତ୍ୟା ସମୁଦ୍ର ଭିତରୁ ବଙ୍ଗ ମୁହାଁ ହୋଇଥିଲା । ବାତ୍ୟା ବଙ୍ଗରେ ଲ୍ୟାଣ୍ଡଫଲ କରିଥିଲା ସତ କିନ୍ତୁ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିଥିଲା । କିନ୍ତୁ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିଲେ ନବୀନଙ୍କ ସାହସୀ ସିପାହୀ ।

୨୦୨୧ : ବାତ୍ୟା ୟାସ୍ 

ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରିବାର ଦିନ କେଇଟା ପୂର୍ବରୁ ବାତ୍ୟା ୟାସ୍ ସହ ମୁକାବିଲା କରିଥିଲେ ନବୀନ ସରକାର । ସେହି ସମାନ ମେ’ ମାସରେ । ଗୋଟିଏ ପଟେ ମହାମାରୀ କରୋନା ଶୀର୍ଷରେ ଥିବା ବେଳେ ବାତ୍ୟା ୟାସର ମୁକାବିଲା ନବୀନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ସତ । କିନ୍ତୁ ବିପର୍ଯ୍ୟୟ ମୁକାବିଲାର ମହାରଥ ହାସଲ କରିଥିବା ନବୀନ ୟାସକୁ ବେଶ ସଫଳତାର ସହ ମୁକାବିଲା କରିଛନ୍ତି । ନବୀନଙ୍କ ସମୟ ଉପଯୋଗୀ ପଦକ୍ଷେପ, ଆଗୁଆ ସତର୍କତା ସଂକ୍ରମଣ ଭିତରେ ବି ୟାସର ମୁକାବିଲାକୁ ଆହୁରି ସହଜ କରିଦେଇଥିଲା । ଓଡ଼ିଶାରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟାସ୍, କିନ୍ତୁ କିଛି ଗଛ ଓ ଘର ଏହାର ଶିକାର ହୋଇଥିଲେ । ଆଉ ବଞ୍ଚିଯାଇଥିଲା ଶହ ଶହ ଜୀବନ ।  ୟାସ୍ ବାତ୍ୟା ପରେ ଓଡ଼ିଶା ମୁହାଁ ହୋଇଥିଲା ବାତ୍ୟା ଗୁଲାବ । ଓଡ଼ିଶା ଉପକୂଳ ଗୁଲାବ ଛୁଇଁନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଯେଉଁଭଳି ପ୍ରସ୍ତୁତି କରାଯାଇଥିଲା ତାହା ଦର୍ଶାଉଥିଲା ନବୀନଙ୍କ ପାଇଁ ପ୍ରତିଟି ଜୀବନ କେତେ ମୂଲ୍ୟବାନ?

ତେବେ ପ୍ରତିଟି ବିପର୍ଯ୍ୟୟକୁ ଅତି ସରଳ ଢଙ୍ଗରେ ମୁକାବିଲା କରିବାରେ କେମିତି ମାହିର ହେଲେ ନବୀନ? ଏ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ଦୁଇ ଦଶନ୍ଧି ପୂର୍ବକୁ ଯିବାକୁ ହେବ ।  ଓଡ଼ିଶା ରାଜନୀତିରେ ନବୀନ ନୂଆ ନୂଆ ପାଦ ଦେଇଥିଲେ, ଆଉ ଏହି ସମୟରେ ଓଡ଼ିଶାରେ ମାଡ ହୋଇଥିଲା ପ୍ରଳୟଙ୍କାରୀ ମହାବାତ୍ୟା । ଉପକୂଳ ଓଡ଼ିଶାର ଭୌଗଳିକ ଚିତ୍ରକୁ ବଦଳାଇ ଦେଇଥିଲା ଏହି ବାତ୍ୟା । ଆଉ ସେତେବେଳେ ଏହି ବିଭୀଷିକାର ମୂକସାକ୍ଷୀ ପାଲଟିଥିଲେ ନବୀନ  । ଓଡ଼ିଶା ପାଇଁ ବାତ୍ୟା ଯେ ଏଭଳି ବିପଦଜନକ ହୋଇପାରେ ତାହା ସେତେବେଳେ ଅନୁଭବ କରି ସାରିଥିଲେ ନବୀନ । ଆଉ ୨୦୦୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ନେଉ ବାତ୍ୟା ମୁକାବିଲା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ ନବୀନ  । କାରଣ ଭୌଗଳିକ ଦୃଷ୍ଟିକୋଣରୁ ଓଡ଼ିଶାରେ ବାତ୍ୟାର ପ୍ରଭାବ ପ୍ରତିବର୍ଷ ରହିବ ତାହା ଅନ୍ଦାଜ ଲଗାଇ ସାରିଥିଲେ ନବୀନ । ଆଉ ଏହାରି ଭିତରେ ରାଜ୍ୟ ଫାଇଲିନ, ହୁଡୁହୁଡୁ, ଫୋନି, ଅମ୍ଫାନ, ତିତଲି, ୟାସ୍ ଭଳି ବାତ୍ୟାର ସାମ୍ନା କରିଛି । କିନ୍ତୁ ୧୯୯୯ ଭଳି ଆଉ ଜୀବନହାନି ହୋଇନାହିଁ । କାରଣ ବାତ୍ୟାକୁ ଅତି ପାଖରୁ ଦେଖିଛନ୍ତି ନବୀନ । ଯେଉଁଥିପାଇଁ ବାତ୍ୟା ଆସିଲେ ମିଶନମୋଡରେ କାମ କରିବା ସହ ଧନ ଓ ଜୀବନ ହାନି ଯେପରି କମ ରହିବ ସେଥିପାଇଁ ଆଗୁଆ ନିଷ୍ପତି ନେଇଥାନ୍ତି ନବୀନ ।  ଆଉ ନବୀନଙ୍କ ଏହି ମୁକାବିଲା ଫର୍ମୁଲାକୁ ଏବେ ଆପଣାଉଛି ପୂରା ଦେଶ ।  ଆଉ ଏସବୁ ଭିତରେ ଦେଶର ୯ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳକୁ ବିପର୍ଯ୍ୟୟ ପରିଚାଳନାର ପାଠ ପଢାଇଛି ଓଡ଼ିଶା । ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ ବଡ ବଡ ବନ୍ୟା ଓ ପ୍ରଳୟଙ୍କାରୀ ବାତ୍ୟାକୁ ସାମ୍ନା କରିଛି ଓଡ଼ିଶା । କିନ୍ତୁ ଏଭଳି ମହାସଙ୍କଟକୁ ସଫଳତାର ସହ ସାମ୍ନା କରି ଓଡ଼ିଶାବାସୀଙ୍କ ପାଇଁ ସଙ୍କଟମୋଚକ ସାଜି ଛିଡା ହୋଇଛନ୍ତି ନବୀନ । ଯେଉଁଥିପାଇଁ ନବୀନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ବାହାବା ମିଳିଛି, ଜାତିସଂଘ ପ୍ରଂଶସା କରିଛି ।

ଓଡିଶାକୁ ବିକାଶର ରାସ୍ତା ଦେଖାଇଛନ୍ତି ନବୀନ । ମମତା ଯୋଜନା ଠାରୁ ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ଯୋଜନା ।

ନିର୍ବାଚନ ପରେ ନିର୍ବାଚନ କିପରି ଜିତାଯାଏ, କିପରି ବିରୋଧୀଙ୍କ ରଣନୀତିକୁ ମାତ ଦେଇ ବିଜୟର ବାନା ଉଡାଯାଏ । ଦେଶର ସାମ୍ପ୍ରତିକ ରାଜନୀତିରେ ସବୁଠୁ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ । ଲୋକଙ୍କ ପ୍ରକୃତ ସମସ୍ୟା ବୁଝିବା ଓ ଏହାର ସମାଧାନ ପାଇଁ ପଦକ୍ଷେପ ନେଇ ବାରମ୍ବାର ନିଜକୁ ଜଣେ ଜନପ୍ରିୟ ନେତା ଭାବେ ପ୍ରମାଣିତ କରିଛନ୍ତି ସେ । ପଞ୍ଚାୟତ ନିର୍ବାଚନ ହେଉ କି ସାଧାରଣ ନିର୍ବାଚନ, ସବୁ ନିର୍ବାଚନକୁ ଗୁରୁତ୍ୱ ଦେଇ ଆସିଛନ୍ତି ନବୀନ ।

ବିଜୁ ସ୍ାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ 

୨୦୨୨ ପଞ୍ଚାୟତ ନିର୍ବାଚନର ପ୍ରାୟ ୬ ମାସ ପୂର୍ବରୁ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ । ଗାଁ ଗାଁରେ ସ୍ମାର୍ଟ କାର୍ଡ ଜରିଆରେ ପହଁଚିବାକୁ ହୋଇଛି ରଣନୀତି । ଏହି ଯୋଜନାରେ ୯୬ ଲକ୍ଷ ପରିବାକୁ କାର୍ଡ ବଣ୍ଟାଯିବ, ସାଢେ ୩ କୋଟି ଲୋକ ଏଥିରେ ଉପକୃତ ହେବେ । ହସ୍ପିଟାଲରେ କାହାକୁ କୈାଣସି କାଗଜପତ୍ର ଦେବାକୁ ପଡିବ ନାହିଁ । ସ୍ମାର୍ଟ ହେଲଥ କାର୍ଡ ପାଖରେ ଥିଲେ, ମିଳିବ ମାଗଣା ଚିକିତ୍ସା ସୁବିଧା ।

ଏସସିବି ହେବ ଏମ୍ସ ପ୍ଲସ୍ 

ସ୍ୱାସ୍ଥ୍ୟ କ୍ଷେତ୍ରରେ ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ନିରନ୍ତର ପ୍ରୟାସ ଚଳାଇଛନ୍ତି ନବୀନ ପଟ୍ଟନାୟକ । ୨୦୦୦ ମସିହା ବେଳକୁ ରାଜ୍ୟରେ ୩ଟି ମେଡିକାଲ କଲେଜ ଥିଲା । ଆଉ ୮ ଟି ମେଡିକାଲ କଲେଜର ଗଠନ ଦିଗରେ ପଦକ୍ଷେପ ନିଆଯାଇଛି । ଏସସିବି ମେଡିକାଲ କଲେଜକୁ ଏମସ ପ୍ଲସରେ ପରିଣତ କରିବାକୁ ୧ ହଜାର କୋଟିର ବ୍ୟବସ୍ଥା କରାଯାଇଛି ।

ସ୍ମାର୍ଟ ସ୍କୁଲ ଯୋଜନା

ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ହେଉଛି ସ୍ମାର୍ଟ । ଏହି ଯୋଜନାରେ ପୂରା ବଦଳିଯିବ ସ୍କୁଲ ଗୁଡିକର ଢାଞ୍ଚା । ହିଞ୍ଜିଳିରେ ଆରମ୍ଭ ହୋଇଥିବା ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ । ପର୍ଯ୍ୟାୟ କ୍ରମେ ଓଡ଼ିଶାର ସବୁ ସ୍କୁଲ ହେବ ଏପରି ରୂପାନ୍ତରଣ ।

ଓଡ଼ିଶା ପାଲଟିଛି ଦେଶର ସ୍ପୋର୍ଟସ୍ ହବ୍

୨୦୧୮ରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳର ସ୍ପନସର ହେବାକୁ ଘୋଷଣା କରିଥିଲେ ଓଡିଶା ସରକାର । ଯେଉଁ ବିଶ୍ୱାସର ସହ ୩ ବର୍ଷ ତଳେ ଓଡିଶା, ହକି ଖେଳାଳିଙ୍କ ଉପରେ ରଖିଥିଲା, ତାର ସୁଫଳ ମିଳିଛି । ଅଲିମ୍ପିକ୍ସରେ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିବା ଏବଂ ମହିଳା ହକି ଦଳର ଳଢ଼ୁଆ ପ୍ରଦର୍ଶନ ପରେ ଜାତୀୟ ସ୍ତରରେ ଓଡିଶାର ପ୍ରଶଂସାରେ ଶତମୁଖ ହୋଇଛନ୍ତି ବିଶିଷ୍ଟ ବ୍ୟକ୍ତି । ବିଶ୍ୱ ହକି ମାନଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରିଛି ଓଡ଼ିଶା । ହକି ବିଶ୍ୱକପ୍, ଅଲିମ୍ପିକ୍ସ କ୍ୱାଲିଫାୟର, ହକି ୱାର୍ଲଡ ଚାମ୍ପିୟନସିପ୍ ଆୟୋଜନ କରି ଓଡିଶା, ହକିର ସଫଳତାର ଅଧ୍ୟାୟରେ ନୂଆ ଫର୍ଦ୍ଦ ଯୋଡିଚାଲିଛି । ଭାରତୀୟ କ୍ରୀଡ଼ାରେ ଅଣଦେଖା ହୋଇ ଆସୁଥିବା ଓଡ଼ିଶା ଆଜି ଦେଶର କ୍ରୀଡ଼ା କ୍ୟାପିଟାଲ୍ ହେବାକୁ ଯାଉଛି । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନବୀନଙ୍କ ଯୋଜନା ଲୋକଙ୍କୁ ଆକର୍ଷିତ କରିଛି ।

ପର୍ଯ୍ୟଟନ କ୍ଷେତ୍ର ଓ ତୀର୍ଥଭୂମିର ବିକାଶ

୨୦ ବର୍ଷର ଏହି ଅବଧିରେ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳିତ କରି ରଖିବାର ଯେଉଁ ଦାଗ ସରକାରଙ୍କ ଦେହରେ ଲାଗିଥିଲା, ତାକୁ ପଞ୍ଚମ ପାଳିରେ ଦୂର କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବଡଦାଣ୍ଡରୁ ଆରମ୍ଭ କରି ଶ୍ରୀକ୍ଷେତ୍ରର କୋଣ ଅନୁକୋଣ ସବୁଠି ଦେଖିବାକୁ ମିଳୁଛି ବିକାଶର ଛାପ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ହେଉ କି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, ରୂପରେଖ ବଦଳାଇବା ପାଇଁ ଯୋଜନା ହୋଇଛି ।

କାଳିଆ ଯୋଜନା

କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଘୋଷଣା କରି ୨୦୧୯ ନିର୍ବାଚନ ପୂର୍ବରୁ ନବୀନ ଖେଳିଥିଲେ ମାଷ୍ଟର ଷ୍ଟ୍ରୋକ୍ । ଦେଶର ବିଭିନ୍ନ ରାଜ୍ୟରେ କୃଷି ଋଣ ଛାଡ଼ ନେଇ ଯେତେବେଳେ ପ୍ରତିଯୋଗିତା ଚାଲିଥିଲା, କାଳିଆ ଯୋଜନା ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ ନବୀନ ।

ମହିଳା ସଶକ୍ତିକରଣ

ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ପଥ ପ୍ରଦର୍ଶକ ହୋଇଛି ଓଡ଼ିଶା । ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରୋତ୍ସାହନ ଦେଇ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ରାଜ୍ୟକୁ ମିଳିଛି ଏକ ବଡ଼ ଉପଲବ୍ଧି ।

ମୋ ସରକାର 

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କ ଫୋକସରେ ରହିଛି, ପ୍ରଶାସନିକ ଦକ୍ଷତା ବୃଦ୍ଧି, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଜନତାଙ୍କୁ ସେବା ଯୋଗାଇବା ପାଇଁ ସରକାରଙ୍କ ଉତ୍ତରଦାୟିତ୍ୱ । ଫାଇଟ୍-ଟି ଅର୍ଥାତ୍ ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟାଇମ୍ ଏବଂ ଟ୍ରାନ୍ସଫରମେସନ୍ ଏହି ୫ଟି ମୂଳମନ୍ତ୍ର ଆଧାରରେ ରାଜ୍ୟରେ ଆରମ୍ଭ ହୋଇଛି ନବୀନଙ୍କ ସବୁଠୁ ମହତକାଂକ୍ଷୀ କାର୍ଯ୍ୟକ୍ରମ – ‘ମୋ ସରକାର’ । ଦୁର୍ନୀତି ବିରୋଧରେ ଲଢ଼େଇକୁ ଜୋରଦାର କରି ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ନବୀନ ସରକାର ।

ଟଙ୍କିକିଆ ଚାଉଳ ଯୋଜନାରୁ ମୋ’ ସରକାର କାର୍ଯ୍ୟକ୍ରମ । ଗୋଟିଏ ପଟେ ଗରିବ ଲୋକଙ୍କ ଆଖିରୁ ଲୁହ ପୋଛିବାକୁ ପ୍ରୟାସ, ଅନ୍ୟ ପଟେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ଉତ୍ତରଦାୟତ୍ୱ । ଏହାରି ମଧ୍ୟରେ ଲମ୍ବିଛି ନବୀନ ସରକାରଙ୍କ ମାଳ ମାଳ ଯୋଜନା । ଅସହାୟ, ଆଦିବାସୀ, ମହିଳା, ବୃଦ୍ଧବୃଦ୍ଧା ଓ ଅବହେଳିତ ବର୍ଗଙ୍କ ମୁହଁରେ ହସ ଫୁଟାଇବା ପାଇଁ ମମତା ଯୋଜନା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ କରି ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି ନବୀନ । ୨୧ ବର୍ଷର ଶାସନ କାଳରେ, ଏକ ଦେବାଳିଆ ରାଜ୍ୟର ଦୁର୍ନାମ ଭିତରୁ ଓଡ଼ିଶାକୁ ବାହାର କରି ବିକାଶର ନୂଆ ରାସ୍ତା ଦେଖାଇବାରେ ସଫଳ ହୋଇଛନ୍ତି ନବୀନ । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ନିବେଶ କରିବାକୁ ଆଗେଇ ଆସିଛନ୍ତି ଦେଶର ବଛା ବଛା ଶିଳ୍ପପତି ।

ନିଆରା ରାଜନୀତିଜ୍ଞ ନବୀନ । ମହାବାତ୍ୟା ମୁକାବିଲାଠୁ ଆରମ୍ଭ କରି ମହିଳା ସଂରକ୍ଷଣ ସବୁଥିରେ ଆଗୁଆ ନବୀନ ।

ଦେଶର ରାଜନୀତିରେ ନବୀନ ଏପରି ଜଣେ ରାଜନେତା, ଯିଏ କ୍ରମାଗତ ଭାବେ ୫-୫ ଥର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଲାଭ କରିଛନ୍ତି । ଓଡ଼ିଶାର ଲୋକପ୍ରିୟ ଜନନେତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଏକ ନାଟକୀୟ ଘଟଣାକ୍ରମରେ ରାଜନୀତିରେ ପ୍ରବେଶ କରିବା ପରେ ବିଜୁ ଲିଗାସିକୁ ବେଶ୍ ଆଗକୁ ନେଇଛନ୍ତି ନବୀନ । ରାଜ୍ୟର ବିକାଶ ଲାଗି ତାଙ୍କର ଦୂରଦୃଷ୍ଟି ଏବଂ ଅସହାୟ, ଅବହେଳିତ ବର୍ଗ ପ୍ରତି ଥିବା ସମ୍ବେଦନଶୀଳତା ଯୋଗୁଁ ଦେଶର ଏକ ନିଆରା ରାଜନୈତିକ ବ୍ୟକ୍ତିତ୍ୱ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ, ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ନବୀନ । କେବଳ ସେତିକି ନୁହେଁ, ହକି ବିଶ୍ୱକପ୍ର ସଫଳ ଆୟୋଜନ କରି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାର ସ୍ଥିତିକୁ ଜାହିର କରିଛନ୍ତି । ଦେଶ ଓ ବିଦେଶର ବଡ଼ ବଡ଼ ଶିଳ୍ପପତିଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବର୍ତ୍ତାଇ ପାରିଛନ୍ତି ନବୀନ ।

୧୯୯୯ ମହାବାତ୍ୟା । ପ୍ରକୃତିର ଏହି ମହାତାଣ୍ଡବରେ ହଜାର ହଜାର ଲୋକଙ୍କ ଅକାଳ ମୃତ୍ୟୁ ତାଙ୍କୁ ଏପରି ବିଚଳିତ କରିଥିଲା ଯେ ରାଜ୍ୟରେ ଏହାର ପୁନରାବୃତ୍ତି କରାଇ ଦେଇନାହାନ୍ତି ନବୀନ । ଫାଇଲିନ୍, ତିତଲି ଏବଂ ୨୦୧୯ରେ ଧ୍ୱଂସଲୀଳା ରଚିଥିବା ଫୋନି ଭଳି ମହାବାତ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛି ତାଙ୍କ ସରକାର । ଫୋନି ମାଡ଼ ହେବା ପୂର୍ବରୁ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରି ଦେଶ ଓ ବିଦେଶରେ ବେଶ ପ୍ରଶଂସିତ ହୋଇଛନ୍ତି ନବୀନ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ତାଙ୍କର ଭୂମିକାକୁ ମିଳିତ ଜାତିସଂଘ ମଧ୍ୟ ପ୍ରଶଂସା କରିଛି । ନାସନାଲ ଜିଓଗ୍ରାଫିକ୍ ଭଳି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଟିଭି ଚ୍ୟାନେଲରେ ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି ।

ତା ସହିତ ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ବଳିଷ୍ଠ ଯୁକ୍ତି ଓ ଆନ୍ତରିକ ଉଦ୍ୟମ ଯୋଗୁଁ ସାରା ଦେଶରେ ବେଶ ପ୍ରଶଂସିତ ହୋଇଛନ୍ତି ନବୀନ । ୨୦୧୯ ସାଧାରଣ ନିର୍ବାଚନରେ ୨୧ଟି ଲୋକସଭା ଆସନରୁ ୭ଟି ଆସନରେ ମହିଳାଙ୍କୁ ଦଳୀୟ ପ୍ରାର୍ଥୀ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ନବୀନ । ସେହିପରି ଜାତିଭିତ୍ତିକ ଜନଗଣନା ପାଇଁ ବିଧାନସଭାରେ ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କ ଉପରେ ସେ ଚାପ ପକାଇଛନ୍ତି । ଗାନ୍ଧୀଙ୍କ ଆଦର୍ଶ ଓ ଅହିଂସା ନୀତି ହିଁ ଦେଶର ବିକାଶକୁ ଆଗେଇ ନେବ ଏବଂ ଗରିବ ମୁହଁରେ ହସ ଫୁଟାଇବ ବୋଲି ଯୁକ୍ତି ବାଢ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧୀଙ୍କ ଅହିଂସା ନୀତିକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି ନବୀନ ।

ଜଣେ ଦୂରଦୃଷ୍ଟି ସମ୍ପନ୍ନ ଏବଂ ଜଣେ ସଫଳ ରାଜନେତାଙ୍କ ଭିତରେ ରହିଛି ଜଣେ ସୃଜନଶୀଳ ଲେଖକର ମନପ୍ରାଣ । କଲମ ଧରି ନୂଆ ସୃଜନ ସୃଷ୍ଟି କରିବାରେ ନବୀନ ସିଦ୍ଧହସ୍ତ । ‘ଏ ସେକେଣ୍ଡ ପାରାଡାଇଜ’, ‘ଦି ଗାର୍ଡେନ ଅଫ ଲାଇଫ’, ‘ଡେଜର୍ଟ କିଙ୍ଗଡମ୍’ ହେଉଛି ତାଙ୍କର ଅନବଦ୍ୟ କୃତି । ଜଣେ ଲେଖକ ଭାବେ ତାଙ୍କର ଯେପରି ଖ୍ୟାତି ରହିଛି, ସେମିତି ସେ ଜଣେ ବିମୁଗ୍ଧ ପାଠକ । କଳା ସଂସ୍କୃତି, ଜୀବନଧାରା ଓ ଔଷଧୀୟ ଗୁଳ୍ମ ସମ୍ପର୍କରେ ଗଭୀର ଅଧ୍ୟୟନ ରହିଛି ତାଙ୍କର ।

ରାଜନୀତିରେ କେମିତି ପ୍ରବେଶ କଲେ ନବୀନ? କେମିତି ହେଲେ ଓଡିଶାର ମୁଖ୍ୟମନ୍ତ୍ରୀ?

ରାଜନୀତିରେ ନବୀନଙ୍କ ପ୍ରବେଶ ଯେମିତି ଆକସ୍କିକ ଥିଲା, ସେମିତି ଥିଲା ଅପ୍ରତ୍ୟାଶିତ । ସେତେବେଳର ରାଜନୈତିକ ଦୃଶ୍ୟପଟ୍ଟରେ ନବୀନ ଥିଲେ ଅଜଣା । ନା’ ନେତା, ନା’ ଜନତା, କେହି କେବେ କଳ୍ପନା କରି ନଥିଲେ ଯେ, ରାଜ୍ୟ ରାଜନୀତିରେ ଅପରିଚିତ ଥିବା ନବୀନ ପଟ୍ଟନାୟକ, ଦିନେ ଦେଶର ରାଜନୈତିକ ଇତିହାସରେ ସବୁଠୁ ବଡ଼ ଅଧ୍ୟାୟ ଲେଖିବାକୁ ଯାଉଛନ୍ତି ।

୧୯୯୭ ଏପ୍ରିଲ ୧୭ ତାରିଖରେ ପରପାରିକୁ ଚାଲିଗଲେ ଆଧୁନିକ ଓଡ଼ିଶାର ନିର୍ମାତା ବିଜୁ ପଟ୍ଟନାୟକ । ସାରା ଓଡ଼ିଶା ହୋଇଯାଇଥିଲା ସ୍ତବ୍ଧ । ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ଏକ ଅପୂରଣୀୟ ଶୂନ୍ୟସ୍ଥାନ । ହୁଏତ ସେଦିନ କାହାକୁ ଜଣାନଥିଲା, ବିଜୁବାବୁଙ୍କ ମରଶରୀରକୁ କାନ୍ଧ ଦେଉଥିବା ନବୀନ, ଦିନେ ନିଜ କାନ୍ଧରେ ବୋହି ନେବେ ସାରା ଓଡ଼ିଶାର ଭାର । ସ୍ୱାଧୀନତା ପରେ ରାଜ୍ୟ ରାଜନୀତିରେ ସେ ହେଉଛନ୍ତି ଏପରି ଏକ ବ୍ୟକ୍ତିତ୍ୱ, ଯାହାଙ୍କୁ ଏପର୍ଯ୍ୟନ୍ତ ଚାଲେଞ୍ଜ ଦେଇ ହୋଇନାହିଁ । ୧୯୯୭ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନାଁ ଶୁଣିଥିଲେ ଓଡ଼ିଶାର ହାତ ଗଣତି ଲୋକ । ସବୁଠୁ ଲୋକପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପୁଅ ହୋଇଥିଲେ ବି ରାଜନୀତିଠାରୁ ବେଶ ଦୂରରେ ଥିଲେ ନବୀନ । ତେବେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପୂରା ବଦଳି ଯାଇଥିଲା ନବୀନଙ୍କ ଜୀବନ ।

ହୁଏତ ସେତେବେଳେ ବିଜୁବାବୁଙ୍କ ସହଯୋଗୀ ଭାବୁଥିଲେ, ନବୀନଙ୍କୁ ମୋହରା କରି ଅନୁକମ୍ପା ସାଉଁଟି ରାଜନୀତିର ସିଡି ଚଢିବେ । ମାତ୍ର ସେମାନଙ୍କୁ ଭୁଲ ପ୍ରମାଣିତ କରି ନବୀନ ଆରମ୍ଭ କଲେ ନିଜର ରାଜନୈତିକ ଅଭିଯାନ । ରାଜନୀତିକୁ ପ୍ରବେଶ କରିବାର କିଛି ମାସ ମଧ୍ୟରେ ଗଢା ହେଲା ବିଜେଡି । ବିଜେଡିର ସଭାପତି ଭାବେ ନବୀନ ଖେଳି ଚାଲିଲେ ଗୋଟିକ ପରେ ଗୋଟିଏ ମାଷ୍ଟର ଷ୍ଟ୍ରୋକ୍ ।

୧୯୯୭ରୁ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ଆରମ୍ଭ ହେଲା ତାଙ୍କର ରାଜନୈତିକ କ୍ୟାରିୟର । ୨୦୦୦ ମସିହାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କଲେ ନବୀନ । ତାଙ୍କୁ ଅପେକ୍ଷା କରି ରହିଥିଲା ଓଡ଼ିଶାର ରାଜ ମୁକୁଟ । ଏହା ପୂର୍ବରୁ ସଫଳତାର ସହ ଗୋଟି ଚଳାଇ ଦଳ ମଧ୍ୟରେ ଥିବା ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ବିଜୟ ମହାପାତ୍ରଙ୍କୁ ରାସ୍ତାରୁ ହଟାଇ ସାରିଥିଲେ ନବୀନ । ଏହି ଗୋଟିଏ ଚାଲ୍ ବିରୋଧୀଙ୍କ ଶିବିରରେ ଆତଙ୍କ ସୃଷ୍ଟି କରିଥିଲା । ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଗୋଟିଏ ପରେ ଗୋଟିଏ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଳ ବାହାରର ରାସ୍ତା ଦେଖାଇ ଦେଇଥିଲେ ସେ । ବିରୋଧୀଙ୍କ ମୁହଁ ଉପରେ ଦୁର୍ନୀତିର କଳାଚାଦର ଢାଙ୍କି ଦେଇ ନବୀନ ନିର୍ମାଣ କଲେ ନିଜର ସ୍ୱଚ୍ଛ ଭାବମୂର୍ତି । ଏହା ସହ ବଢିଚାଲିଲା ତାଙ୍କର ଲୋକପ୍ରିୟତା । ବର୍ତ୍ତମାନ ଓଡ଼ିଶାର ଏକ ମାତ୍ର ଅପ୍ରତିଦ୍ୱନ୍ଦୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଇ ଅଛନ୍ତି I ଆଗକୁ ମଧ୍ୟ ତାଙ୍କର ଏହି ଜୟ ଯାତ୍ରା ଜାରି ରହୁ I

Leave A Reply

Your email address will not be published.