ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ନୂଆ ଗାଇଡ଼ ଲାଇନ ଜାରି

185

ଭୁବନେଶ୍ୱର: ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ । ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚିବ । ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ ଲାଇନ୍‌ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ସ୍ତରୀୟ ଷ୍ଟିୟରିଂ କମିଟିରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ମାଧ୍ୟମିକ, ପ୍ରାଥମିକ, ଏସ୍‌ଟି ଆଣ୍ଡ ଏସ୍‌ସି ଉନ୍ନୟନ ବିଭାଗ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି, ଟେକ୍ସଟ୍‌ବୁକ୍‌ ପ୍ରଡକ୍ସନ୍‌ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ, ଆରଆଇଇ ଭୁବନେଶ୍ବରର ଅଧ୍ୟକ୍ଷ ଏହି କମିଟିର ସଦସ୍ୟ ରହିଛନ୍ତି । ଟିଇ ଆଣ୍ଡ୍‌ ଏସ୍‌ସିଇଆରଟି ନିର୍ଦ୍ଦେଶକ ସଦସ୍ୟ ଆବାହକ ଭାବେ ସ୍ଥାନ ପାଇଛନ୍ତି । ସେହିପରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରିଚାଳନା କମିଟି ଏବଂ ବ୍ଲକସ୍ତରରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି ।
ନିଷ୍ପତ୍ତ ଅନୁଯାୟୀ ଟିଇ ଆଣ୍ଡ୍ ଏସ୍‌ସିଇଆରଟି ଭାବେ କ୍ଲଷ୍ଟର ସ୍ତରରେ ନୋଡାଲ ହାଇସ୍କୁଲ (ଯେଉଁଠାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପତ୍ର ସଂରକ୍ଷଣ କରାଯାଏ)ରେ ରଖିବେ । ସିଆରସିସିମାନେ ଏହି ଟିମ୍‌ର ନେତୃତ୍ବ ନେବେ । ପରୀକ୍ଷା ଦିନ ସକାଳେ ବିଇଓଙ୍କ ଦ୍ବାରା ଗଠିତ ଟିମ୍ ଦ୍ବାରା କଡ଼ା ସୁରକ୍ଷା ଓ ଗୋପନୀୟ ଭାବେ ସମସ୍ତ ସ୍କୁଲକୁ ପ୍ରଶ୍ନପତ୍ର ନେବେ । ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୌଖିକ ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ୍‌ ୫୦ ମାର୍କରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିବା । ୮ମ ଶ୍ରେଣୀ ପାଇଁ କେବଳ ୫୦ ମାର୍କର ଲିଖିତ ପରୀକ୍ଷା କରାଯିବ । ପ୍ରଶ୍ନପତ୍ରରେ ସମିଟିଭ୍ ଆସେସ୍‌ମେଣ୍ଟ-୧ ପୂର୍ବରୁ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୩୦% ପ୍ରଶ୍ନ ଓ ପରେ ପଢ଼ାଯାଇଥିବା ପାଠ୍ୟକ୍ରମରୁ ୭୦% ପ୍ରଶ୍ନ ରହିବ । ୩୦% ମାର୍କ ରଖିଲେ ପିଲା ପାସ୍ କରିବେ । ଯେଉଁମାନେ କୃତକାର୍ଯ୍ୟ ହେବେନାହିଁ, ସେମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ।

Comments are closed, but trackbacks and pingbacks are open.